ଦାମୀ କାର୍‌ରେ ବୁଲୁଛନ୍ତି ସାଇକୋ କିଲର୍‌

ଭୁବନେଶ୍ୱର : ଦାମୀ କାର ବିଏମ୍‌ଡବ୍ଲ୍ୟୁରେ ବୁଲୁଛନ୍ତି ସାଇକୋ କିଲର । କଥା କଥାକେ ଛୁରାମାଡ଼ କରୁଛନ୍ତି । ଆଉ କେଉଁଠି ସିଧା ମର୍ଡର । ରାଜଧାନୀ ଓ ଖୋର୍ଦ୍ଧା ସିଟିରେ ଆଜି ଏମିତି ୩ଜଣ ସାଇକୋ କିଲରଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଡି ସାଇଡ୍‌ ମରାକୁ ନେଇ ନୂଆପଲ୍ଲୀରେ ଜଣେ ଯୁବକଙ୍କୁ ଛୁରାମାଡ଼ କରିଛନ୍ତି । ଖୋର୍ଦ୍ଧା ବାଇପାସ୍‌ରେ ଏକ ମଦ ବାର୍‌ରେ ଝଗଡା କରି ବାର କର୍ମଚାରୀଙ୍କୁ ହାଣିଛନ୍ତି ।

ନୂଆପଲ୍ଲୀରେ ଆକ୍ରମଣର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଅବିନାଶ ପ୍ରଧାନ(୨୮) । ତାଙ୍କ ହାତର ୩ଟି ଜାଗାରେ ଓ ଜଙ୍ଗରେ ଚୋଟ ଚିହ୍ନ ରହିଛି । ସେ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଖୋର୍ଦ୍ଧା ବାଇପାସ୍‌ର ବାଟମଙ୍ଗଳା ମନ୍ଦିର ନିକଟରେ ଥିବା ପାଢ଼ୀ ବାର୍‌ କର୍ମଚାରୀ ଅମୀୟ ବାରିକଙ୍କୁ ହାଣିଛନ୍ତି । ତାଙ୍କ ଶରୀରର ହାତ ଗୋଡ଼, ପିଠି ଓ ଅନ୍ୟ ଅଙ୍ଗରେ ଚୋଟ ବାଜିଛି । ସାଇକୋ କିଲରଙ୍କ ଆକ୍ରମଣରେ ଅମୀୟ ପ୍ରାଣ ହରାଇଛନ୍ତି । ଏନେଇ ନୂଆପଲ୍ଲୀ ଥାନାରେ ଓ ଖୋର୍ଦ୍ଧା ଟାଉନ୍‌ ଥାନାରେ ଦୁଇଟି ପୃଥକ ଅଭିଯୋଗ ହୋଇଛି । ଦୁଇ ଥାନାର ପୁଲିସ ସାଇକୋ କିଲରଙ୍କୁ ଖୋଜୁଛି ।

ସୂଚନାଯୋଗ୍ୟ ଯେ, ଅବିନାଶ ଖଣ୍ଡଗିରି ଥାନା ପାତ୍ରପଡ଼ା ଉଦୟଗିରି ବିହାରରେ ରହୁଛନ୍ତି । ସେ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ଆଜି ପ୍ରାୟ ଦିନ ୧ଟା ବେଳେ ଇସ୍କନ ମନ୍ଦିର ପାଖ ପେଟ୍ରୋଲ ପମ୍ପ ପଛପାଶ୍ୱର୍ ଗ୍ୟାରେଜକୁ ଏକ ହୁଣ୍ଡାଇ କାର୍‌ (ଓଡି୦୨ଏଇ-୯୭୪୭) ଧରି ସଜାଡିବା ପାଇଁ ଯାଇଥିଲେ । ମରାମତିରେ ବିଳମ୍ବ ଘଟିବାରୁ ସାଙ୍ଗ ମୋହିତ କୁମାର ପଣ୍ଡାଙ୍କ ସହ ଚା’ ପିଇବାକୁ ଯାଇଥିଲେ । ଚା ପିଇ ଗଳି ଭିତରେ ଦୁହେଁ ଫେରୁଥିବା ବେଳେ ଏକ ଟର୍ଣ୍ଣିଂ ଠାରେ ଅବିନାଶ ଗାଡ଼ିର ହର୍ଣ୍ଣ ମାରିଥିଲେ । ସାମ୍ନାରୁ ଆସୁଥିବା ବିଏମଡବ୍ଲ୍ୟୁ ଗାଡି଼(ଏଚ୍‌ଆର-୨୬ବିଜି ୧୧୪୫) ରେ ବସିଥିବା ୩ ଯୁବକ ଗାଡି଼ରୁ ଓହ୍ଲାଇ କାହିଁକି ହର୍ଣ୍ଣ ମାରିଲୁ ବୋଲି ପଚାରିଥିଲେ ।

ଟର୍ଣ୍ଣିଂ ଥିବାରୁ ହର୍ଣ୍ଣ ମାରିଥିବା ନେଇ ଉତ୍ତର ରଖିବାରୁ ୩ ଯୁବକ ରାଗିଯାଇଥିଲେ । ଜଣେ କାର୍‌ ଭିତରୁ ଛୁରୀ ଆଣି ଅବିନାଶଙ୍କୁ ଆକ୍ରମଣ କରିଥିଲା । ଅନ୍ୟ ଦୁଇଜଣ ମୋହିତ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ସ୍ଥାନୀୟ ଲୋକ ଓ ଗ୍ୟାରେଜର କର୍ମଚାରୀ ସେଠାକୁ ଆସିବାରୁ ଆକ୍ରମଣକାରୀମାନେ ବିଏମ୍‌ଡବ୍ଲ୍ୟୁରେ ବସି ଘଟଣାସ୍ଥଳରୁ ଛୁ ମାରିଥିଲେ । ସ୍ଥାନୀୟ ଲୋକମାନେ ଦୁହିଁଙ୍କୁ ହସ୍ପିଟାଲକୁ ନେବା ସହ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲେ ।

ଅନ୍ୟ ଘଟଣାଟି ସନ୍ଧ୍ୟା ସାଢ଼େ ୫ଟାରେ ଘଟିଛି । ୩ ଯୁବକ ଏନ୍‌ଏଚ୍‌-୧୬ ଦେଇ ବିଏମଡବ୍ଲ୍ୟୁରେ ଖୋର୍ଦ୍ଧା ଆଡେ ଯାଇଥିଲେ । ପାଢ଼ୀ ବାରରେ ପହଞ୍ଚିବା ପରେ ସେଠାରେ କାର ପାର୍କିଂକୁ ନେଇ ବାର୍‌ ସିକ୍ୟୁରିଟି ଗାର୍ଡଙ୍କ ସହ ଯୁକ୍ତିତର୍କ କରିଥିଲେ । ସିକ୍ୟୁରିଟି ଗାର୍ଡ ଓ କିଛି ସ୍ଥାନୀୟ ଯୁବକ ଏକାଠି ହେବାରୁ ୩ ଯୁବକ କାର୍‌ ନେଇ ସେଠାରୁ ପଳାଇଥିଲେ । ଏହାର କିଛି ସମୟ ପରେ ପୁଣି ଉକ୍ତ ବାର୍‌କୁ ଫେରିଥିଲେ । ଏଥର କିନ୍ତୁ ୩ ଯୁବକ ଆକ୍ରମଣ କରିବା ମୁଡ୍‌ରେ ଥିଲେ । ବାର୍‌ ପାଚେରୀରେ ବସିଥିବା ଅମୀୟ ଓ ଅନ୍ୟ ଜଣେ କର୍ମଚାରୀ ସୁନୀଲଙ୍କ ଉପରେ ତିନି ଯୁବକ ଝପଟି ପଡିଥିଲେ । ଯୁବକଙ୍କ ଅଚାନକ ଆକ୍ରମଣ ଦେଖି ସୁନୀଲ ଧାଇଁ ପଳାଇ ଜୀବନ ବଞ୍ଚାଇଥିଲେ । ଅମୀୟ କିନ୍ତୁ ଆକ୍ରମଣକାରୀଙ୍କ କବଳରୁ ମୁକୁଳି ପାରିନଥିଲେ । ଆକ୍ରମଣକାରୀମାନେ ୩ ପଟୁ ତାଙ୍କୁ ଛୁରା ମାଡ଼ କରିଥିଲେ । ତାଙ୍କ ଶରୀରର ୧୫ରୁ ଅଧିକ ଜାଗାରେ ଚୋଟ ବାଜିଥିଲା । ବାର୍‌ କର୍ମଚାରୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ଅମୀୟଙ୍କୁ ମୃତ ଘୋଷଣା କରିଛି । ଅମୀୟଙ୍କ ଘର ଖୋର୍ଦ୍ଧା ଟାଉନ୍‌ର ଉପରସାହିରେ । ଏନେଇ ତାଙ୍କ ବାପା ଯୁଗଳ ବାରିକ ଖୋର୍ଦ୍ଧା ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ୨୪୩/୨୦ରେ ଏକ ମାମଲା ରୁଜୁ କରିଛି । ମଦ ଦର ବୃଦ୍ଧିକୁ ନେଇ ବଚସା ହୋଇଥିବା ପୁଲିସ ସୂଚନା ଦେଇଛି । ନୂଆପଲ୍ଲୀ ଥାନା ପୁଲିସ କହିଛି, ଘଟଣାସ୍ଥଳ ଓ ପେଟ୍ରୋଲ ପମ୍ପରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯାଇଛି । ୩ ଆକ୍ରମଣକାରୀ ଚିହ୍ନଟ ହୋଇସାରିଛନ୍ତି । ଆକ୍ରମଣକାରୀମାନେ ଓଡି଼ଆ ଭାଷାରେ ଗାଳି କରୁଥିଲେ । ସେପଟେ ଖୋର୍ଦ୍ଧା ଏସ୍‌ପି କହିଛନ୍ତି, ଯଥାଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ।

Leave a Reply

Your email address will not be published. Required fields are marked *