ମଶାରୀ ଭିତରେ ନାଗ

ଭୁବନେଶ୍ୱର  : – ଫାର୍ମ ହାଉସ୍‌ରେ ରାତିରେ ମଶା ଦାଉରୁ ରକ୍ଷା ପାଇବା ଲାଗି ମଶାରୀ ଟାଙ୍ଗି ଶୋଇଥିଲେ । ବିଳମ୍ବିତ ରାତିରେ ଫାର୍ମ ହାଉସ୍‌ର ଘାସ ବଣ ଭିତରୁ ୪ଫୁଟ ଲମ୍ବର ଏକ ନାଗ ସାପ ଅତି ସନ୍ତର୍ପଣରେ ଆସି ମଶାରୀ କନା ଟେକି ଭିତରେ ପଶିଥିଲା । ଭିତରେ ଶୋଇଥିବା ମଣିଷଙ୍କ ଉପରେ ସର୍‌ ସର୍‌ ହୋଇ ଚାଲିଗଲା । ଦେହ ସଲସଲ ହେବାରେ ଜଣେ ଉଠି ପଡ଼ି ଟର୍ଚ୍ଚ ମାରିଲା ବେଳକୁ ଫଣା ଟେକି ଠିଆ ହୋଇଛି ନାଗ । ସାପ ଆତଙ୍କର ଏହି ଲୋମଟାଙ୍କୁରା ଘଟଣା ଘଟିିଥିଲା ଉତ୍ତରା ଛକ ନିକଟରେ ଥିବା ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ।

ଗତକାଲି ରାତିରେ ଶ୍ରୀ ମୁଦୁଲିଙ୍କ ଫାର୍ମ ହାଉସରେ ଅଲେଖ ପ୍ରଧାନ ଓ ଶରତ ନାୟକ ନାମକ ୨ଜଣ ଶ୍ରମିକ ଶୋଇଥିଲେ । ଆଖପାଖରେ ଘାସ ବଣ ଥିବାରୁ ସୁରକ୍ଷା ପାଇଁ ଉଭୟେ ମଶାରୀ କଡ଼ରେ ଇଟା ଖଣ୍ଡମାନ ଲଦିଥିଲେ । ତେବେ ରାତି ପ୍ରାୟ ୨ଟା ବେଳେ ଶରତଙ୍କ ଦେହରେ କ’ଣ ଗୋଟାଏ ସଲସଲ ହୋଇ ଚାଲିଯିବାରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା । କ’ଣ ବୋଲି ଟର୍ଚ୍ଚ ଲଗାଇଲା ବେଳକୁ ନାଗ ସାପ ପଶିଛି ମଶାରୀ ଭିତରେ ।

ବିକଳରେ ଉଭୟେ ମଶାରୀ ଭିତରୁ ପଦାକୁ ବାହାରିବାରେ ତର ସହି ନଥିଲା । ଉଭୟେ ବାହାରି ଗଲା ପରେ ମଶାରୀ ଭିତରୁ ସାପ ପଦାକୁ ଆସି ନପାରି ଫଣା ଟେକି ସୁ ସୁ ଗର୍ଜନ କରିଥିଲା । ଖବରପାଇ ଫାର୍ମ ହାଉସ ମାଲିକ ପହଞ୍ଚି ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଅରୁଣ ବରାଳଙ୍କୁ ଖବର ଦେଇଥିଲେ । ଶ୍ରୀ ବରାଳ ଭୋର ବେଳେ ଉକ୍ତ ଫାର୍ମ ହାଉସରେ ପହଞ୍ଚି ମଶାରୀ ଭିତରୁ ୪ ଫୁଟ ଲମ୍ବର ନାଗଟିକୁ ଧରିଥିଲେ । ଏହାପରେ ସାପଟିକୁ ଶ୍ରୀ ବରାଳ ପ୍ରାକୃତିକ ଆବାସ ଛାଡ଼ି ଦେଇଛନ୍ତି । ସୌଭାଗ୍ୟକୁ ସାପଟି ଶ୍ରମିକ ଦ୍ୱୟଙ୍କ କୌଣସି କ୍ଷତି କରିନାହିଁ

Leave a Reply

Your email address will not be published. Required fields are marked *