ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା: ୯ ଜିଲ୍ଲାରେ ବର୍ଷିବ
ଭୁବନେଶ୍ୱର,:-ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ବଢ଼ିପାରେ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । ମାତ୍ର ପୂର୍ବଭଳି ଉପକୂଳ ଓଡ଼ିଶାରେ ଏବେ ବି ଅଧିକ ବର୍ଷା ସମ୍ଭାବନା ନାହିଁ ।
ପାଣିପାଗ ବିଭାଗ କହିଛି, ପୂର୍ବ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହାସହ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ମୌସୁମୀ ଟ୍ରଫ୍ ରହିଛି । ଏହା ପ୍ରଭାବରେ ଆଜି ପାଗ ମେଘୁଆ ଥିବାବେଳେ ଆସନ୍ତା ଦୁଇଦିନ ବର୍ଷା ବଢ଼ିପାରେ ।
ଅନୁମାନ କରାଯାଉଛି, ମଙ୍ଗଳବାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାସହ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶାର କେତେକ ଜାଗାରେ ବି ବର୍ଷା ହୋଇପାରେ । ବୁଧବାର ମଧ୍ୟ ଏଭଳି ପାଗ ରହିବ ।
ବୁଧବାର ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, କନ୍ଧମାଳରେ ପ୍ରବଳ ବର୍ଷା ଆଶଙ୍କର ଅଛ । ଗୁରୁବାରଠାରୁ ବର୍ଷା ପରିମାଣ କମିପାରେ ।
ସୋମବାର ସୁଦ୍ଧା ଟିଟିଲାଗଡ଼ରେ ୪୮.୬ ମିଲିମିଟର, ବଲାଙ୍ଗିର ୩୨.୨ ମିମି, କଟକରେ ୧୬ ମିମି, ଭବାନୀପାଟଣାରେ ୫.୨ ମିମି ବର୍ଷା ହୋଇଥିଲା ।
ଚଳିତବର୍ଷ ଠିକ୍ ସମୟରେ ଓଡ଼ିଶାକୁ ଆସିଥିଲା ମୌସୁମୀ । ମାତ୍ର ଏଯାବତ୍ ଆଶାନୁଯାୟୀ ବର୍ଷା ହୋଇନି ରାଜ୍ୟରେ। ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ମାତ୍ର ୨% କମ୍ ବର୍ଷିଛି । କଟକ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ସୋନପୁରରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଜୁଲାଇରେ ବର୍ଷା ପରିମାଣ ପୂରା କମିଯାଇଛି ।