ମହାମାରୀକୁ ମାତ ଦେଲେ କନ୍ଧମାଳର ୮୧ ବର୍ଷର ବୃଦ୍ଧ
କନ୍ଧମାଳ:-ମହାମାରୀକୁ ମାତ ଦେଲେ ୮୧ ବର୍ଷର ବୃଦ୍ଧ । କରୋନାକୁ ହରାଇଲେ କନ୍ଧମାଳର ବୟସ୍କ ବ୍ୟକ୍ତି । କରୋନା ମହାମାରୀ କବଳରେ ସାରା ଦେଶ ପଡ଼ିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଲୋକମାନେ । କିନ୍ତୁ କନ୍ଧମାଳ ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ବୃଦ୍ଧ କରୋନାକୁ ହରାଇଦେଇଛନ୍ତି । ରାଇକିଆ ବ୍ଲକ ତଳଇନ୍ଦ୍ରାଗଡ଼ାର ଗୋପୀନାଥ ଡାକୁଆ କରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଛନ୍ତି । ତେବେ ଗୋପୀନାଥ ସୁସ୍ଥ ହୋଇଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।ତେବେ ଗୋପୀନାଥଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ଗତ ଜୁନ ୨୮ରେ ତାଙ୍କୁ ରାଇକିଆ ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ବାବ ପରୀକ୍ଷା ହେବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହାପରେ ଗତ ୪ ତାରିଖରେ ତାଙ୍କୁ ଫୁଲବାଣୀସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ପରେ ଜୁଲାଇ ୧୩ରେ ସେ ସୁସ୍ଥ ହୋଇ ହସପିଟାଲରୁ ଛାଡ଼ ପାଇଛନ୍ତି ।