ପାଇଲଟ୍ଙ୍କୁ ମନେଇବାକୁ ଲାଗି ପଡିଛି ପୁରା କଂଗ୍ରେସ, ଫୋନ୍ରେ ବୁଝେଇଲେ ପ୍ରିୟଙ୍କା-ରାହୁଲ୍,
ନୂଆଦିଲ୍ଲୀ:-ରାଜସ୍ଥାନ କଂଗ୍ରେସ ବିଦ୍ରୋହର ଦ୍ୱିତୀୟ ନାଟକରେ ଭିଲିୟାନରୁ ହିରୋ ହୋଇ ଗଲେଣି ସଚିନ ପାଇଲଟ । ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କୁ ଏବେ ମନାଇବାକୁ ଲାଗିଛନ୍ତି କଂଗ୍ରେସର ବହୁ ତୁଙ୍ଗନେତା । ସଚିନଙ୍କ ସହ ଲଗାତର ସଂପର୍କରେ ଅଛନ୍ତି କଂଗ୍ରେସ ମହାସଚ୍ଚିବ ପ୍ରିୟଙ୍କା ଗାନ୍ଧି ଏବଂ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏକାଧିକ ବରିଷ୍ଠ ନେତା ମଧ୍ୟ ସଚିନଙ୍କ ସହ କଥା ହେଉଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସଚିନଙ୍କୁ ଦଳର କେନ୍ଦ୍ରୀୟସ୍ତରରେ ବଡ଼ ପଦପଦବୀ ଦେଇ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ଦଳର ନେତାଏ ।
ସୂଚନା ଯୋଗ୍ୟ, ରାଜସ୍ଥାନରେ ସରକାର ଯଦିଓ ଏବେ କିଛି ଦିନ ନିରାପଦ , ତଥାପି ଟଳିନି ବିପଦ । ବିଧାୟକଙ୍କୁ ଏକଜୁଟ ରଖିବାକୁ ସେମାନଙ୍କୁ ଏକ ହୋଟେଲକୁ ନିଆଯାଇଛି । କାରଣ ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସେଭଳି କିଛି ଆଶଙ୍କାରେ ଘୋଡା ବେପାରର ଅଭିଯୋଗ କରିବା ସହ ବିଜେପିକୁ ଟାର୍ଗେଟ କରିଆସୁଛନ୍ତି । ତେବେ ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ସଚିନ ପାଇଲଟଙ୍କ ଖୋଲା ଖୋଲି ବିଦ୍ରୋହ ଉଭୟ ଗେହଲଟ ଏବଂ କଂଗ୍ରେସ ପାଇଁ ହୋଇଛି ବଡ ଟେନ୍ସନ୍ ।ଯଦିଓ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ୧୦୯ ବିଧାୟକ ଯୋଗଦେବା କଂଗ୍ରେସକୁ ସରକାର ସୁରକ୍ଷିତର ଭରସା ଦେଇଛି । ୩୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ସଚିନ ପାଇଲଟ ସେହି ବୈଠକକୁ ଆସିନଥିଲେ, ତାଙ୍କର କିଛି ସମର୍ଥକ ମଧ୍ୟ ବୈଠକରୁ ଦୂରେଇ ରହିଥିଲେ । ସରକାର ସୁରକ୍ଷିତ ପରେ ବି କଂଗ୍ରେସ ବିଧାୟକ ମାନଙ୍କୁ ବସ୍ରେ ହୋଟେ୍ଲ ନିଆଯାଇଛି । ବିଜେପି ୧୦-୧୫ କୋଟି ଲୋଭ ଦେଖାଇ ବିଧାୟକ ମାନଙ୍କୁ ପ୍ରଲୋଭିତ କରୁଥିବା ଏବଂ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା କିଛି ଦିନ ଦି ଅଭିଯୋଗ କରିଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହି ପରିପ୍ରେକ୍ଷୀରେ ସେ ବୋଧହୁଏ ସୁରକ୍ଷିତ ଥିବା ନେଇ ନିଶ୍ଚିତ ନୁହନ୍ତି ।
ସେପଟେ ଖୋଲାଖୋଲି ବିଦ୍ରୋହ କରିଥିବା ଯୁବନେତା ସଚିନ ପାଇଲଟଙ୍କୁ ମନାଇବାକୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଜୋରଦାର ଉଦ୍ୟମ ଜାରି ରଖିଛି । ପ୍ରିୟଙ୍କା ଗାନ୍ଧି ଫୋନରେ ସଚ୍ଚିନଙ୍କ ସହ କଥା ହୋଇଛନ୍ତି । ଗତକାଲି ସଚିନଙ୍କୁ ଦିଲ୍ଲୀରେ ସାକ୍ଷାତ କରିବାକୁ ସମୟ ଦେଇନଥିବା ଗାନ୍ଧି ପରିବାର ଦିନକ ପରେ ପାଇଲଟଙ୍କୁ ଅଧିକ ଗୁରୁତ୍ଵ ଦେଇଛନ୍ତି । ରାହୁଲ ଗାନ୍ଧି ମଧ୍ୟ ସଚ୍ଚିନଙ୍କ ସହ ଲଗାତର ସଂପର୍କରେ ଥିବା ଜଣାଯାଇଛି । ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, ପି ଚିଦାମ୍ବରମ୍ , ଏଆଇସିସି ସାଧାରଣ ସଂପାଦକ କେ.ସି ଭେନୁଗୋପାଲ ମଧ୍ୟ ସଚିନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି।
ସେପଟେ ରାଜସ୍ଥାନ ସଂକଟର ସମାଧାନ ଲାଗି ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଜୟପୁର ଯାଇଥିବା ବରିଷ୍ଠ ନେତା ଅଜୟ ମାକନ, ରଣଦୀପ ସୁରଜୱାଲା ଏବଂ ଗୁଜୁରାଟ କଂଗ୍ରେସ ଦାୟୀତ୍ଵ ଥିବା ଅବିନାଶ ପାଣ୍ଡେ ମଧ୍ୟ ସୋନିଆ ବାର୍ତ୍ତା ସଚିନଙ୍କୁ ଦେଇ ତାଙ୍କ ପାଇଁ କଂଗ୍ରେସର ଦ୍ଵାର ସବୁବେଳେ ଖୋଲା ବୋଲି କହିଛନ୍ତି । ରାଜସ୍ଥାନ କଂଗ୍ରେସର ସାଂପ୍ରତିକ ସ୍ଥିତିକୁ ଏକ ପାରିବାରିକ ଘଟଣା କହି ଦଳୀୟ ଫୋରମ୍ରେ ସବୁ ଅଭିଯୋଗ, ଆପତ୍ତି ଓ ଅସନ୍ତୋଷର ସମାଧାନ ହେବ ବୋଲି ତିନି କଂଗ୍ରେସ ନେତା କହିଛନ୍ତି । ସେପଟେ ଗତକାଲି ଦଳୀୟ କାର୍ଯ୍ୟଳୟରୁ ଗତକାଲି ହଟାଯାଇଥିବା ସଚିନ ପାଇଲଟଙ୍କ ଫଟୋ ପୁଣି ଆଜି ମରାଯାଇଛି ।ଦଳରେ କେନ୍ଦ୍ରୀୟ ନେତୃତ୍ଵ ଏହା ମଧ୍ୟରେ ସଚିନ ପାଇଲଟଙ୍କୁ ବଡ ଦାୟିତ୍ଵ ଏବଂ ଗୁରୁତ୍ବପୂର୍ଣ୍ଣ ପଦବୀ ଦେଇ ସନ୍ତୁଷ୍ଟ କରିବାକୁ ଯୋଜନା କରୁଥିବା ଜଣାଯାଇଛି । ଏପରିକି ପାଇଲଟଙ୍କୁ ମହାସଚିବ କିମ୍ବା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଯଚାଯାଉଥିବା ଜଣା ଯାଇଛି ।