ହସ୍ପିଟାଲ୍‌ ପାଲଟିଛି କରୋନା ହଟ୍‌ସ୍ପଟ୍ : ବେକାବୁ ହେବାରେ ଲାଗିଛି କରୋନା

କଟକ:-କଟକ ସହରରେ କରୋନାର ହଟ୍‌ସ୍ପଟ୍‌ ସାଜିଛି ବିଭିନ୍ନ ହସ୍ପିଟାଲ୍‌। ସହରରେ ଚିହ୍ନଟ ହୋଇଥିବା ୨୪୮ ଜଣ ସଂକ୍ରମିତଙ୍କ ମଧ୍ୟରୁ କେବଳ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୨୦ ଜଣ ଅଛନ୍ତି। ସେହିପରି ୧୮ ଜଣ ସଂକ୍ରମିତ ଏସ୍‌ସିବି ମେଡିକାଲ କଲେଜରୁ ଚିହ୍ନଟ ହୋଇଛନ୍ତି‌ ବୋଲି କଟକ ମହାନଗର ନିଗମ କମିସନର୍‌ ଅନନ୍ୟା ଦାସ କହିଛନ୍ତି। ଏହା ମଧ୍ୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇସାରିଛନ୍ତି।ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାସ କହିଥିଲେ ଯେ କଟକ ହେଉଛି ରାଜ୍ୟର ମେଡିକାଲ ହବ୍‌। ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସନ୍ତି। ତେଣୁ ହସ୍ପିଟାଲ୍‌ଗୁଡ଼ିକରେ ସଂକ୍ରମଣକୁ ରୋକିବା ପାଇଁ ତ୍ରିସ୍ତରୀୟ ଏସ୍‌ଓପି ପ୍ରସ୍ତୁତ କରାଯାଇଛି। ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ କରୋନା ଲକ୍ଷଣ ଜାଣିବା ପାଇଁ ପ୍ରଥମେ ତାଙ୍କର ସ୍କ୍ରିନିଂ କରାଯିବ। ଯଦି ଲକ୍ଷଣ ଦେଖାଯିବ, ତେବେ ତାଙ୍କୁ ଅଲଗା ରଖାଯିବ। ଯଦି କୌଣସି ଲକ୍ଷଣ ନ ଥିବ, ତେବେ ରୋଗୀଙ୍କ ଆଣ୍ଟିଜେନ୍ ଟେ‌ଷ୍ଟ କରାଯିବ। ସେଥିରେ ପିଜିଟିଭ୍ ଆସିଲେ, ତାଙ୍କୁ କରୋନା ହସ୍ପିଟାଲ୍‌ ସ୍ଥାନାନ୍ତର କରାଯିବ। ନେଗେଟିଭ୍ ଆସିଲେ, ସେହି ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯିବ। ରୋଗୀଙ୍କୁ ଚିକିତ୍ସା କଲା ବେଳେ ଓପିଡିରେ ସମସ୍ତେ ଡାକ୍ତର ପର୍ୟ୍ୟାପ୍ତ ପରିମାଣରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ। ସମସ୍ତ ଘରୋଇ ନର୍ସିଂ ହୋମ୍‌ ଏହି ଏସ୍‌ଓପି ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

Leave a Reply

Your email address will not be published. Required fields are marked *