ରାଜ୍ୟରେ କରୋନାରୁ ଆରୋଗ୍ୟ ହେଲେ ଆଉ ୩୮୮ ସଂକ୍ରମିତ , ୮ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ଵର:- ଦିନକୁ ଶହ ଶହ ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନ୍ୟପକ୍ଷେ ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ରାଜ୍ୟରେ ସୁସ୍ଥହାର ମଧ୍ୟ ବଢି ଚାଲିଛି। ଏହି ୨୪ ଘଣ୍ଟାରେ ରାଜ୍ୟରେ ପ୍ରଥମ ଥର ଗୋଟିଏ ଦିନରେ ୩୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ୮୦୦ ଟପିଛି। ଅଦ୍ୟାବଧି ୮୩୬୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରତି ଥର ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୧୮୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏହାର ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୮ ରୋଗୀ କରୋନା ଆରୋଗ୍ୟ ଲାଭ କରିଛନ୍ତି।  ଏଥିରୁ ଗଞ୍ଜାମରୁ ୧୮୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡରୁ ୧୮, ପୁରୀରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ଵରରୁ ୧୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିଭଳି ଅନୁଗୁଳରୁ ୮, କେନ୍ଦ୍ରାପଡାରୁ ୬,  ଗଜପତି ଓ ଝାରସୁଗୁଡାରୁ ଦୁଇ ଜଣ ଲେଖାଏଁ ଏବଂ ବରଗଡ, ଭଦ୍ରକ ଓ ଦେବଗଡରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି।  ଉଲ୍ଲେଖନୀୟ ଗତକାଲି ୫୬୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୨୫୨୬ରେ ପହଞ୍ଚିଛି। ଅଦ୍ୟାବଧି ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଆଜି ଏହି ମହାମାରୀରେ ଆଉ ୫ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧ରେ  ପହଞ୍ଚିଛି।

Leave a Reply

Your email address will not be published. Required fields are marked *