ଭାରତୀୟ ବୈଜ୍ଞାନିକଙ୍କ ଦାବି ଶୀତ ଋତୁରେ ସଂକ୍ରମଣ ଆହୁରି ବଢ଼ିବ

ନୂଆଦିଲ୍ଲୀ : ଭାରତର କିଛି ଗବେଷକ ଦାବି କରିଛନ୍ତି ଯେ କମ ତାପମାତ୍ରାରେ କରୋନା ଭାଇରସ ସଂକ୍ରମଣ ଆହୁରି ବଢ଼ିବ । ଅର୍ଥାତ୍‌ ଆଗାମୀ ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ତୀବ୍ର ହେବ । ଆଉ କିଛି ମାସ ପରେ ଉତ୍ତର ଗୋଲାର୍ଦ୍ଧରେ ଥିବା ଦେଶଗୁଡିକରେ ଶୀତ ଋତୁ ଆରମ୍ଭ ହେବ । ତେଣୁ ଏହି ଗୋଲାର୍ଦ୍ଧରେ ଥିବା ଦେଶଗୁଡିକରେ କରୋନା ସଂକ୍ରମଣ ଭୟାବହ ପରିସ୍ଥିତି ସୃଷ୍ଟି କରିବ ।

ରାଜସ୍ଥାନ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାୟୋକେମିଷ୍ଟ ଚଣ୍ଡୀ ମଣ୍ଡଳ ଏବଂ ବନାରସ ହିନ୍ଦୁ ୟୁନିଭରସିଟିର ବାୟୋକେମିଷ୍ଟ ମହାବୀର ସିଂ ପନୱର ବିଭିନ୍ନ ଦେଶର ତାପମାତ୍ରା ଏବଂ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ତୁଳନା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସେମାନେ ଏଥିପାଇଁ ମାର୍ଚ୍ଚ ଶେଷ ଭାଗରୁ ଏପ୍ରିଲ ମଧ୍ୟ ଭାଗ ଭିତରେ ବିଭିନ୍ନ ଦେଶର ତାପମାତ୍ରା ଏବଂ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନେଇଥିଲେ ।

ଏହି ଦୁଇ ଗବେଷକ ମତ ଦେଇଛନ୍ତି ଯେ ଯେକୌଣସି ଭାଇରସର ସଂକ୍ରମଣ ବାୟୁମଣ୍ଡଳର ତାପମାତ୍ରା ଓ ଆଦ୍ରତା ଉପରେ ନିର୍ଭର କରେ । ଗ୍ରୀଷ୍ମ ଋତୁ ହେଉଛି କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରକୃଷ୍ଟ ସମୟ । ତେବେ କିଛି ଦେଶରେ ତାପମାତ୍ରା କମ୍‌ ଥିବା ସତ୍ତେ୍ୱ ସେଠାରେ କାହିଁକି କରୋନା ସଂକ୍ରମଣ ଅଧିକ ହୋଇଛି ତାହାର ସେମାନେ କିଛି କାରଣ ଦର୍ଶାଇନାହାନ୍ତି । ତେଣୁ କରୋନା ସଂକ୍ରମଣ ପଛରେ କେବଳ ତାପମାତ୍ରା ନୁହେଁ, ବରଂ ଅନ୍ୟ କିଛି କାରଣ ବି ଦାୟୀ ବୋଲି ମନେ କରାଯାଉଛି ।

Leave a Reply

Your email address will not be published. Required fields are marked *