ଆୟୁଷ ନିର୍ଦ୍ଦେଶାଳୟର ଡାଇରେକ୍ଟରଙ୍କ ପାଲଟା ଅଭିଯୋଗ: ‘ମୋତେ ଫସାଇବାକୁ ଷଡ଼ଯନ୍ତ୍ର କରାଯାଇଛି’
ଭୁବନେଶ୍ବର:-ଓଡ଼ିଶା ଆୟୁଷ ନିର୍ଦେଶାଳୟ ଅଫିସରେ ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍ ଡାଇରେକ୍ଟର ବିଭୁ ପ୍ରସାଦ ଷଡ଼ଙ୍ଗୀ। ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ପଛରେ ପ୍ରୋଗ୍ରାମ୍ ମ୍ୟାନେଜର ସୁଶାନ୍ତ କୁମାର ଦାସଙ୍କର ପ୍ରମୁଖ ଭୂମିକା ଥିବା ଅଭିଯୋଗ କରିଛନ୍ତି । ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ସୁଶାନ୍ତଙ୍କ କାରନାମା ପଦାକୁ ଆସିବା ପରେ ସଂପୃକ୍ତ ଯୁବତୀଙ୍କୁ ମତାଇ ତାଙ୍କ ବିରୋଧରେ ଏଭଳି ଭି୍ତ୍ତିହୀନ ଅଭିଯୋଗ ଅଣାଯାଇଥିବା କହିଛନ୍ତି ।
ଅଫିସରେ ମହିଳା ସହକର୍ମୀଙ୍କୁ ଆୟୁଷ ନିର୍ଦେଶକଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ନୂଆ ମୋଡ଼ । ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା କହିଲେ ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ । ଏନେଇ ମହିଳା ଥାନାରେ ବିଭୁ ପ୍ରସାଦଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଫର୍ଦ୍ଦରେ ଆୟୁଷ ନିର୍ଦେଶାଳୟର ଷ୍ଟେଟ୍ ପ୍ରୋଗ୍ରାମ୍ ୟୁନିଟ୍ରେ ନିଯୁକ୍ତି ପାଇଥିବା ପ୍ରୋଗ୍ରାମ୍ ମ୍ୟାନେଜର ସୁଶାନ୍ତ କୁମାର ଦାସ ହିଁ ଏଭଳି ଷଡ଼ଯନ୍ତ୍ର ପଛର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛନ୍ତି । ଗଲା ୨ ତାରିଖରେ ସୁଶାନ୍ତ କୁମାର ଦାସ୍ଙ୍କୁ ସୋକଜ୍ ନୋଟିସ୍ ହୋଇଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ବିଭୁ ପ୍ରସାଦ । ସୁଶାନ୍ତ କୁମାର ଦାସ ସଂପୃକ୍ତ ଯୁବତୀଙ୍କ ଅତି ଘନିଷ୍ଠ ହୋଇଥିବାରୁ ତାଙ୍କୁ ମତାଇ ମୋ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ବିରୋଧରେ ପେଶ୍ କରାଯାଇଥିବା ହ୍ବାଟ୍ସ୍ ଆପ୍ ମେସେଜ୍ କିମ୍ବା ଭଏସ୍ କଲ୍ ରେକର୍ଡ଼ ତାଙ୍କର ନୁହେଁ ବୋଲି କହିଛନ୍ତି ବିଭୁ ପ୍ରସାଦ । ସେପଟେ ପ୍ରୋଗ୍ରାମ୍ ମ୍ୟାନେଜର ସୁଶାନ୍ତ କୁମାର ଦାସ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା କଥା ବି ସାମ୍ନାକୁ ଆସୁଛି ।
ଆୟୁଷ ନିର୍ଦେଶକଙ୍କ ଏଭଳି ଅଭିଯୋଗକୁ ନେଇ ମହିଳା ଥାନା ପୋଲିସ କିଭଳି ତଦନ୍ତ ଆଗକୁ ବଢ଼ାଇବା ତାହା ତ ସମୟ କହିବ । ହେଲେ ଫୋନ୍ ନମ୍ବର ଯେଉଁ ନମ୍ବରରୁ ଯୁବତୀଙ୍କ ପାଖକୁ ହ୍ବାଟ୍ଆପ୍ ହୋଇଛି ସେ ନମ୍ବର କାହାର ତାହା ପ୍ରଥମେ ସ୍ପଷ୍ଟ ହେବା ଦରକାର । ତା’ପରେ ଫୋନ୍ କଲ ଭଏସ୍ ରେକର୍ଡ଼ ରେ ଯୁବତୀଙ୍କ ସହ କଥାବାର୍ତ୍ତା ହେଉଥିବା ବ୍ୟକ୍ତି ବିଭୁ ପ୍ରସାଦ ଷଡ଼ଙ୍ଗୀ ନା‘ ଅନ୍ୟ କେହି ତା’ର ବି ଯାଂଚ କରିବ ପୋଲିସ ।
ସେପଟେ ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀଙ୍କ ୧୬୧ଧାରାରେ ବୟାନ୍ ରେକର୍ଡ଼ କରିବା ସହ ପୋଲିସ ହାତରେ ଲାଗିଥିବା କଲ୍ ରେକର୍ଡ଼କୁ ଫୋରେନ୍ସିକ୍ ଲ୍ୟାବ୍କୁ ପରୀକ୍ଷା ପାଇଁ ପଠାଯାଇଛି । ତେବେ କିଏ ସତ କହୁଛି ? ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ, ନା ଡାଇରେକ୍ଟରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ଯୁବତୀ । ସେପଟେ ଆୟୁଷ ନିର୍ଦେଶାଳୟର ପ୍ରୋଗ୍ରାମ୍ ମ୍ୟାନେଜର ସୁଶାନ୍ତ କୁମାର ଦାସ ମଧ୍ୟ ମାମଲା ଭିତରକୁ ଟାଣି ହୋଇଛନ୍ତି ।