ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର: ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ୧୨ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥି ସହିତ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ‘ଉମ୍-ପୁନ୍’ (ଅମ୍ଫାନ୍) ପାରାଦ୍ୱୀପର ଦକ୍ଷିଣକୁ ୭୩୦ କି.ମି. ଦୂରରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ସମୁଦ୍ର ମଧ୍ୟରେ ମହାବାତ୍ୟା ରୂପ ନେବ । ଏହା ପରବର୍ତ୍ତୀ ସମୟରେ କିଛି ସମୟ ପାଇଁ ଉତ୍ତର ଦିଗକୁ ଗତିକରିବ ।
ପରେ ଉତ୍ତର-ଉତ୍ତର ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟଦେଇ ୨୦ ମଇ ଅପରାହ୍ଣ / ସନ୍ଧ୍ୟା ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟା ରୂପ ନେଇ ଦୀଘା (ପଶ୍ଚିମବଙ୍ଗ) ଓ ସୁନ୍ଦରବନ ନିକଟବର୍ତ୍ତୀ ହାତିଆ ଦ୍ୱୀପ (ବାଂଲାଦେଶ) ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୬୫-୧୭୫ କି.ମି. ରହିବ । ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୮୫ କି.ମି. ହୋଇପାରେ ।ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ । ବିଶେଷ ଭାବେ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ଓଡ଼ିଶାର ଉତ୍ତର ଉପକୂଳ ଅଂଚଳର ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୯ ତାରିଖରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଓ କେଉଁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଦକ୍ଷିଣ-ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କି.ମି. ରହିବ ଏବଂ ସ୍ଥଳବିଶେଷରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ କି.ମି. ହୋଇପାରେ ଏବଂ ଏହା ୧୯ ତାରିଖରେ ମଧ୍ୟ ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫-୬୫ କି.ମି. ପବନ ବହିବ । ସ୍ଥଳବିଶେଷରେ ପବନର ତୀବ୍ରତା ଘଣ୍ଟା ପ୍ରତି ୭୫ କି.ମି. ହୋଇପାରେ । ୨୦ ମଇ ସକାଳ ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧିପାଇ ବତାସ ରୂପ ନେଇ ଉତ୍ତର ଓଡ଼ିଶା ଉପକୂଳର ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୭୫-୮୫ କି.ମି. ରହିବ ଏବଂ ଏହାର କ୍ଷୀପ୍ରତା ଘଣ୍ଟା ପ୍ରତି ୯୫ କି.ମି. ହେବାର ଅନୁମାନ କରାଯାଇଛି । ପରବର୍ତ୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୧୦ ରୁ ୧୨୦ କି.ମି. ରହିବା ସହ ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୩୫ କି.ମି. ହୋଇପାରେ । ୨୦ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କି.ମି. ହୋଇ ପରେ l
ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ନିକଟବର୍ତ୍ତୀ ଅଞ୍ଚଳ ସମୁଦ୍ର ଅଶାନ୍ତ ରହିବ ଏବଂ ଏହା ଆଜି ରାତି ଠାରୁ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣାଞ୍ଚଳ ଅସ୍ୱାଭାବିକ ରହିବ । ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋଳପସାଗରର ଉତ୍ତର ଭାଗ ଓ ନିକଟବର୍ତ୍ତୀ ଉତ୍ତର ପାଶ୍ୱର୍ରେ ଏବଂ ୨୦ ତାରିଖରେ ବଙ୍ଗୋପସାଗରର ଉତ୍ତର ଭାଗରେ ଅସ୍ୱାଭାବିକ ସ୍ଥିତି ଜାରି ରହିବ । ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ଓଡ଼ିଶା ଉପକୂଳ ଅଂଚଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ସମୀପବର୍ତ୍ତୀ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।
ଓଡ୍ରାଫ୍ ୨୦ ଟି ଦଳ, ଏନ୍.ଡି.ଆର୍.ଏଫ୍ ର ୧୯ ଟି ଦଳ ଏବଂ ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୩୩୫ ୟୁନିଟ୍ ସେବା ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ୧୩ ଏନ୍.ଡି.ଆର୍.ଏଫ୍ ଟିମ୍ ଏବଂ ୧୫ ଟି ଓଡ୍ରାଫ୍ ଟିମ୍ ଓ ୨୧୭ ଟି ଅଗ୍ନିଶମ ବାହିନୀ ଛଅ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲା ଓ ପାଞ୍ଚ ଗୋଟି ନିକଟବର୍ତ୍ତୀ ଜିଲ୍ଲାରେ ଆଗୁଆ ଭାବେ ମୁତୟନ କରାଯାଇଛି । ପ୍ରତ୍ୟେକ ବିପଦସଂକୁଳ ଜିଲ୍ଳାଗୁଡିକୁ ଅଗ୍ନିଶମ ଅଧିକାରୀ ଓ ଉପ-ଅଗ୍ନିଶମ ଅଧିକାରୀଙ୍କୁ ଅଗ୍ନିଶମ ବାହିନୀକୁ ସଂଯୋଜନା କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଅବଶିଷ୍ଟ ୧୧ ଟି (୬ ଏନ୍.ଡି.ଆର୍.ଏଫ ଓ ୫ ଟି ଓଡ୍ରାଫ) ଦଳକୁ କାମରେ ନିୟୋଜନ ପାଇଁ ପ୍ରସ୍ତୁତ ରଖାଯାଇଛି । ସେହିପରି ୧୦ ଟି ଅଗ୍ନିଶମ ବାହିନୀରେ ୧୦୦ ଜଣଙ୍କୁ ପ୍ରସ୍ତୁତ ରଖାଯାଇଛି ।
ଭାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ ପ୍ରଭାବିତ ଅଞ୍ଚଳଗୁଡିକରେ ମୁତୟନ ସକାଶେ ପ୍ରସ୍ତୁତ ରଖାଯାଇଛି । ଡାକ୍ତରଖାନାଗୁଡିକରେ ଯଥେଷ୍ଟ ପରିମାଣର ଇନ୍ଧନ(ତେଲ) ସହିତ ବିଦ୍ୟୁତ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଅତ୍ୟାବଶ୍ୟକୀୟ ଔଷଧ, ସାପକାମୁଡା ଔଷଧ ମହଜୁଦ ରଖାଯାଇଛି । ଉପକୂଳର ୩ କି.ମି. ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ୍ ନେଗେଟିଭ୍ ରୋଗୀମାନଙ୍କୁ ଗୃହ ପୃଥକବାସ ଏବଂ ପଜିଟିଭ୍ ରୋଗୀମାନଙ୍କୁ କୋଭିଡ୍ କେନ୍ଦ୍ରକୁ ସଂଗେ ସଂଗେ ପଠାଯିବାକୁ ବ୍ୟବସ୍ଥା କରାଯାଇଛି । ବିପର୍ଯ୍ୟୟ ମୁକାବିଲାର ତଦାରଖ ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନୋଡାଲ ଅଧିକାରୀ ଚିହ୍ନଟ କରାଯାଇଛି । ଆସନ୍ନ ପ୍ରସବା ମହିଳାଙ୍କୁ ଆଭ୍ୟନ୍ତରୀଣ ଅଗମ୍ୟ ଅଞ୍ଚଳରୁ ପ୍ରସୂତି କେନ୍ଦ୍ର /ମାଆ ଗୃହକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି । ପରିମଳ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲିଂଚି ପାଉଡର/ଓଆର୍ଏସ୍/ ହାଲୋଜିନ୍ ବଟିକା ମହଜୁଦ ରଖାଯାଇଛି ଏବଂ ଏହା ଆଶାକର୍ମୀଙ୍କ ପାଖରେ ଉପଲବ୍ଧ ହେବ
ଓପିଟିସିଏଲ୍ ଏବଂ ବିତରଣ ସଂସ୍ଥାଗୁଡିକ ବାତ୍ୟା ପରବର୍ତ୍ତୀ ସମୟରେ ତତ୍କ୍ଷଣାତ୍ ପୁନଃରୁଦ୍ଧାର କାର୍ଯ୍ୟ କରିବା ପାଇଁ କୁଶଳୀ କର୍ମଚାରୀଙ୍କୁ ସଜାଗ ରଖିବା ସହ ଉପକରଣମାନ ମହଜୁଦ୍ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି । ବାତ୍ୟା ପୂର୍ବରୁ ବିଦ୍ୟୁତ ଯୋଗାଣ ବ୍ୟାଘାତ ହୋଇଯିବାର ସମ୍ଭାବନା ଥିବାରୁ ସଂପୃକ୍ତ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ବିକଳ୍ପ ଶକ୍ତିର ବ୍ୟବସ୍ଥା ସ୍ୱରୂପ ଜେନେରେଟର ସେଟ୍ ଓ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ୍ ରଖିବାକୁ କୁହାଯାଇଛି । ଦଳଗୁଡିକ ଜେନେରେଟର ସେଟ୍, ଗ୍ୟାସ କଟର, ଗାଡି ସହିତ ତତ୍କ୍ଷଣାତ୍ ମୁତୟନ ନିମନ୍ତେ ପ୍ରସ୍ତୁତ ରଖାଯାଇଛି।
ରାଜ୍ୟରେ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ସହ ବୈଠକ କରାଯାଇ ଆଗୁଆ ପଦକ୍ଷେପ ନିମନ୍ତେ ସେମାନଙ୍କୁ ଜେନେରେଟର ସେଟ୍, ମୋବାଇଲ୍ ଟାୱାରଗୁଡିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ଟେଲିକମ୍ ସେବା ବାଧାପ୍ରାପ୍ତ ହେଲେ ତାହାର ପୁନଃରୁଦ୍ଧାର ପାଇଁ ସେଲ୍-ଅନ୍-ହୁଇଲ୍ ବ୍ୟବସ୍ଥା କରିବା ପାଇଁ ସେମାନଙ୍କୁ କୁହାଯାଇଛି










