ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର:- ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୪ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ କଟକର। କଟକରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ସହିତ ଲିଭର ଜନିତ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ।
ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ୭୦ ବର୍ଷୀୟ ବୃଦ୍ଧ। ସେ ଡାଇବେଟିସ୍ରେ ମଧ୍ୟ ପୀଡ଼ିତ ଥିଲେ। ଅନ୍ୟ ଜଣେ ହେଉଛନ୍ତି ୬୦ ବର୍ଷୀୟ ବୃଦ୍ଧ। ସେ ବି ଡାଇବେଟିସ୍ରେ ପୀଡ଼ିତ ଥିଲେ। ତୃତୀୟ ବ୍ୟକ୍ତି ଜଣଙ୍କୁ ୫୩ ବର୍ଷ ହୋଇଥିଲା।ସେହିଭଳି କରୋନାରେ ଆକ୍ରାନ୍ତ ଆଉ ୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କ୍ୟାନସର ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ୮୦ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜର ୪୫ ବର୍ଷୀୟ ବ୍ୟକ୍ତି।ଆଉ ତିନି ଜଣଙ୍କ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଥିବା ବେଳେ କଟକରେ ୫ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, ବରଗଡ଼, ସୁନ୍ଦରଗଡ଼, ଅନୁଗୋଳ, ଯାଜପୁର ଓ ଗଜପତିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।










