ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଦେହାନ୍ତ। ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଜୁନ୍ ୨୨ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ମୁଣ୍ଡରେ ରକ୍ତଜମାଟ ବାନ୍ଧି ଯାଇଥିଲା। ଜୁନ୍ ୨୩ତାରିଖ ସକାଳେ ଏକ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଶ୍ରୀ ଦାସଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର ଓ ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ରୋଗ ଥିବାରୁ ସେବେଠୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା ଓ ଗତକାଲି ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା। ତେବେ ଡାକ୍ତରୀ ଟିମର ସବୁ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇନଥିଲା।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେଡିର ଆଉ କିଛି ନେତା ମଧ୍ୟ ବିଷ୍ଣୁ ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ,  ସେ  ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ଥିଲେ ବିଷ୍ଣୁ। ସ୍ୱଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ।

ଏହାସହ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଥିଲେ।

ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଶ୍ରୀ ଦାସ ୧୯୫୪ ମସିହା ଅକ୍ଟୋବର ୯ତାରିଖରେ ଜଗତସିଂହପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଏସଭିଏମ୍ କଲେଜ ଛାତ୍ର ସଂସଦର ସଭାପତି ଭାବେ ୩ଥର ନିର୍ବାଚିତ ହୋଇଥିଲେ। ୧୯୮୦ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ଓ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରି ଏନଏଏସଓରେ ଜେଲ୍ ଯାଇଥିଲେ।

ପରେ ବିଜୁ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜନତା ଦଳରେ ସାମିଲ ହୋଇ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ତେବେ ପ୍ରଥମଥର ୧୯୮୫ ମସିହାରେ ନିର୍ବାଚନ ହାରିବା ପରେ ୧୯୯୦ ମସିହାରୁ ନିୟମିତ ଭାବେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇ ଆସିଥିଲେ।

ତେବେ ୨୦୧୪ ସାଧାରଣ ନିର୍ବାଚନରେ ସେ ପରାଜିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା । ପରେ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ।

୨୦୧୯ ମସିହାରେ ବିଜେଡି ତାଙ୍କୁ ତିର୍ତ୍ତୋଲ ବିଧାନସଭାରୁ ପ୍ରାର୍ଥୀ କରିଥିଲା ଓ ସେ ବହୁ ଭୋଟରେ ବିଜୟୀ ହୋଇଥିଲେ । ଦୀର୍ଘବର୍ଷ ଧରି ସେ ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଶ୍ରୀ ଦାସ ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା ଥିଲେ।

Leave a Reply

Your email address will not be published. Required fields are marked *