ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବନି ଖୋର୍ଦ୍ଧା ଜିଲ୍ଲାର ୯ଟି ଐତିହ୍ୟସ୍ଥଳୀ

ଭୁବନେଶ୍ୱର:- ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବନି ଐତିହ୍ୟସ୍ଥଳୀ । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଆଜି ଠାରୁ ଖୋଲିବାକୁ ଥିବା ଖଣ୍ଡଗିରି, ଉଦୟଗିରି ସମେତ ଖୋର୍ଦ୍ଧା ଜିଲ୍ଲାର ୯ଟି ଐତିହ୍ୟ କୀର୍ତ୍ତିରାଜି ବନ୍ଦ ରହିବ। କରୋନା ସଂକ୍ରମଣର ସ୍ଥିତି ସୁଧୁରୁ ନଥିବା ବେଳେ ସାଧାରଣ ଲୋକଙ୍କ ହିତ ପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏଥିପାଇଁ ଏଏସ୍‌ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଚିଠି ଲେଖିଛନ୍ତି ।

ସୂଚନାଯାୟୀ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସୋମବାର ଠାରୁ ସଂଗ୍ରହାଳୟ, ଐତିହ୍ୟ ତଥା ପର୍ଯ୍ୟଟନସ୍ଥଳୀ ଆଦିକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ମଞ୍ଜୁରୀ ଦେଇଥିଲା । କିନ୍ତୁ ଏଥିପାଇଁ ଅନେକ ନିୟମ ଓ ସର୍ତ୍ତାବଳୀ ଲାଗୁ ହୋଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ପାଳନ କରି ଦର୍ଶନୀୟ ସ୍ଥାନ ଖୋଲିବାକୁ କୁହାଯାଇଥିଲା । କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ ଥିବା ଦର୍ଶନୀୟ ସ୍ଥାନ ଗୁଡ଼ିକ ଖୋଲାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା। କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ନିର୍ଦ୍ଦିଷ୍ଟ ନିୟମାବଳୀ ଅବଲମ୍ବନ କରାଯାଇ ଖୋଲାଯାଇ ପାରିବ ବୋଲି କୁହାଯାଇଥିଲା । ହେଲେ ଗତ କିଛିଦିନ ହେବ କରୋନା ପଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବର୍ତ୍ତମାନ ୯ଟି ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ବାରଣ କରିଛନ୍ତି ।

ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି । ତେଣୁ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦି ଜିଲ୍ଲା ପ୍ରଶାସନର କଟକଣା ପାଇଁ ଖୋଲିପାରିବ ନାହିଁ । ଏହାସହିତ କଟକ ସହର ୮ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକ ବିଭିନ୍ନ ଦିନମାନଙ୍କରେ ସଟ୍‌ଡାଉନ୍‌ ରହିଛି । ତେଣୁ ଏସବୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେହି ଅଞ୍ଚଳର ପର୍ଯ୍ୟଟନସ୍ଥଳୀ ଖୋଲିବା ପାଇଁ ଯାହା ନିଷ୍ପତ୍ତି ନେଇପାରିବେ । ତେବେ ଉପରୋକ୍ତ ପର୍ଯ୍ୟଟନସ୍ଥଳୀଗୁଡିକୁ ବାଦ ଦେଇ ଅନ୍ୟ ଯେଉଁଗୁଡିକ ଖୋଲିବ, ସେଠାରେ ପର୍ଯ୍ୟଟକମାନଙ୍କୁ ସାମାଜିକ ଦୂରତା ନିୟମ ମାନିବାକୁ ପଡିବ । ଥର୍ମାଲ୍‌ ସ୍କ୍ରିନିଂ କରିବାକୁ ହେବ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯାନବାହନ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *