ଦୁଷ୍କର୍ମକାରୀଙ୍କ ସହିତ ମହିଳା ଏସ୍ଆଇ ଡିଲ୍: ୨୦ଲକ୍ଷ ଟଙ୍କା ଲାଞ୍ଚ ନେବେ ଧରିଲା ଭିଜିଲାନ୍ସ
ଅହମ୍ମଦାବାଦ:-ଜଣେ ଦୁଷ୍କର୍ମକାରୀ ବିରୋଧରେ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ (ପିଏଏସ୍ଏ)ରେ ମାମଲା ରୁଜୁ ନ କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁଜରାଟର ଜଣେ ମହିଳା ପୁଲିସ ଏସ୍ଆଇ ଶ୍ୱେତା ଜାଡେଜାଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି । ଶ୍ୱେତା ଅହମ୍ମଦାବାଦ-ପଶ୍ଚିମ ମହିଳା ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଦୁର୍ନୀତି ନିବାରଣ ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ସୂଚନା ଅନୁସାରେ ଅହମ୍ମଦାବାଦର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଦୁଇଜଣ ମହିଳା ସେହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ କେନାଲ ଶାହଙ୍କ ବିରୋଧରେ ୨୦୧୯ରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମହିଳା ଥାନା ପକ୍ଷରୁ କେନାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଶ୍ୱେତା ଏହାର ତଦନ୍ତ କରୁଥିଲେ । ତେବେ ସେ କେନାଲଙ୍କ ବିରୋଧରେ ପିଏଏସ୍ଏରେ ମାମଲା ରୁଜୁ ନ କରିବା ଲାଗି ୩୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଆଇନରେ ମାମଲା ରୁଜୁ ହେଲେ ଅଭିଯୁକ୍ତକୁ ନିଜ ଜିଲ୍ଲା ବାହାରେ ଥିବା ଯେକୌଣସି ଜେଲ୍କୁ ପଠାଯାଇପାରିବ । ଏଥିପାଇଁ ଶ୍ୱେତା ଅଭିଯୁକ୍ତ କେନାଲର ଭାଇ ଭବେଶଙ୍କୁ ଫୋନ୍ କରି ଡକାଇଥିଲେ । ତାଙ୍କ ସହିତ ଟଙ୍କା ଡିଲ୍ ପକ୍କା କରିଥିଲେ । ଭବେଶ ୨୦ ଲକ୍ଷ ଟଙ୍କା ଦେବେ ବୋଲି କଥା ଫାଇନାଲ ହୋଇଥିଲା । ସେହି ଅନୁସାରେ ଭବେଷ ଗତ ଫେବ୍ରୁଆରୀରେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଶ୍ୱେତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ପରେ ଶ୍ୱେତା ଆହୁରି ୧୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏପରିକି ଟଙ୍କା ଦେବାକୁ ଭବେଶଙ୍କ ଉପରେ ଚାପ ମଧ୍ୟ ପକାଇଥିଲେ । ଭବେଶ ଘଟଣା ସମ୍ପର୍କରେ ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ । ତଦନ୍ତ ପରେ ଶୁକ୍ରବାର ଶ୍ୱେତାଙ୍କୁ ଗିରଫ କରାଯାଇଛି । ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଶ୍ୱେତାଙ୍କୁ ଅଧିକ ପଚରାଉଚୁରା କରିବା ଲାଗି କୋର୍ଟ ୩ ଦିନିଆ ପୁଲିସ ରିମାଣ୍ଡରେ ପଠାଇଥିବା ଜଣାପଡିଛି ।










