ଚୀନକୁ ଚେକ୍ ଦେବା ପାଇଁ ଏସିଆକୁ ସୈନ୍ୟ ଓ ଯୁଦ୍ଧ ଜାହାଜ ପଠାଉଛନ୍ତି ଆମେରିକା ଏବଂ ବ୍ରିଟେନ୍

ଓ୍ଵାଶିଂଟନ:-ଭାରତ ସମେତ ଏସିଆରେ ପଡୋଶୀ ଦେଶ ସହିତ ଚୀନର  ବଢୁଥିବା ଦାଦାଗିରିକୁ ଦେଖି ଆମେରିକା ଡ୍ରାଗନର ମୁକାବିଲା ପାଇଁ ଅଣ୍ଟା ଭିଡିଛି। ଏହି ପରିପ୍ରେକ୍ଷୀରେ ଆମେରିକା ନିଜର ହଜାର ସଂଖ୍ୟକ ସୈନିକଙ୍କୁ ଜାପାନଠୁ ନେଇ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପୂରା ଏସିଆରେ ମୁତୟନ କରୁଛି। ଏହି ମୁତୟନ ପରେ ଆମେରିକା ସେନା ନିଜର ବୈଶ୍ଵିକ ଦବଦବାକୁ ପୁଣି ଥରେ କାଏମ କରିବାକୁ ଯାଉଛି। ଅନ୍ୟପକ୍ଷେ ବ୍ରିଟେନ୍‌ ମଧ୍ୟ ନିଜର ହଜାର ହଜାର କମାଣ୍ଡୋଙ୍କୁ ସୁଏଜ କେନାଲ ପାଖରେ ମୁତୟନ କରିଛି।

ଆମେରିକା ଜର୍ମାନୀରେ ମୁତୟନ ନିଜର ହଜାର ସଂଖ୍ୟକ ସୈନିକଙ୍କୁ ଏସିଆରେ ମୁତୟନ କରିବାକୁ ଯାଉଛି। ଏହି ସବୁ ସୈନିକଙ୍କୁ ଆମେରିକାର ଗୁଆମ, ହଓ୍ଵାଇ, ଆଲାସ୍କା, ଜାପାନ ଓ ଅଷ୍ଟ୍ରେଲିଆ ସ୍ଥିତ ସୈନ୍ୟ ଆଡ୍ଡାରେ ମୁତୟନ କରାଯିବ। ଜାପାନର ନିକ୍କେଇ ଏସିଆନ ରିଭ୍ୟୁର ରିପୋର୍ଟ ଅନୁଯାୟୀ ସଂପ୍ରତି ଆମେରିକାର ପ୍ରାଥମିକତାରେ ପରିବର୍ତ୍ତନ ଆସିଛି। ଶୀତଳ ଯୁଦ୍ଧ ସମୟରେ ଆମେରିକାର ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ ସୋଭିଏତ ସଂଘ ଉପରେ ନିୟନ୍ତ୍ରଣ ରଖିବା ପାଇଁ ୟୁରୋପରେ ବଡ ସଂଖ୍ୟାରେ ସେନା ରଖିବା ଜରୁରୀ ଥିଲା। କିନ୍ତୁ ଏହି ନୀତିରେ ପରିବର୍ତ୍ତନ କରିଛି। ଚୀନକୁ ଘେରିବା ଲାଗି ଜର୍ମାନୀରେ ମୁତୟନ ନିଜର ସେନାକୁ ଅପସାରଣ କରି ଏସିଆର ବିଭିନ୍ନ ଦେଶରେ ମୁତୟନ କରିବାକୁ ଯାଉଛି।

ଆମେରିକା ଟାର୍ଗେଟ୍‌ରେ ଚୀନ

ରିପୋର୍ଟ ଅନୁଯାୟୀ ୨୦୦୦ ମସିହାରେ ଆମେରିକାର ଧ୍ୟାନ ମୁଖ୍ୟତଃ ଆତଙ୍କବାଦ ଉପରେ ଥିଲା। ଏହି ଆଧାରରେ ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଆମେରିକା ଲଢେଇ ଆରମ୍ଭ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରାୟନ ଗତ ମାସରେ ଏକ ଲେଖାରେ କହିଥିଲେ ଯେ, ଚୀନ ଓ ରୁଷ ପରି ଦୁଇ ମହାଶକ୍ତି ସହିତ ପ୍ରତିଯୋଗିତା ପାଇଁ ଆମେରିକା ସେନାକୁ ନିଶ୍ଚିତ ଭାବେ ଅଗ୍ରୀମ ଇଲାକାରେ ପୂର୍ବ ତୂଳନାରେ ଅଧିକ ସେନା ମୁତୟନ କରିବାକୁ ପଡିବ।

ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେରିକା ଜର୍ମାନୀରୁ ନିଜର ସୈନିକ ସଂଖ୍ୟା ୩୪୫୦୦ରୁ ହ୍ରାସ କରି ୨୫  ହଜାର କରିବାକୁ ଯାଉଛି। ଏହି ୯୫୦୦ ସୈନିକଙ୍କୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁତୟନ କରିବାକୁ କିମ୍ବା ସେମାନଙ୍କୁ ଆମେରିକାରେ ସ୍ଥିତ ସୈନ୍ୟ ଆଡ୍ଡାକୁ ପଠାଇବ। ଆମେରିକା ରାଷ୍ଟ୍ରୀୟ ପରାମର୍ଶଦାତା କହିଛନ୍ତି, ଏସିଆରେ ଆମେରିକା ଓ ଆମର ସହଯୋଗୀ ଦେଶ ଶୀତଳ ଯୁଦ୍ଧ ପରଠୁ ବଡ ଭୂରାଜନୈତିକ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି।

ଅନ୍ୟପଟେ ଚୀନ କ୍ରମାଗତ ନିଜର ସେନା ଉପରେ ବିପୁଳ ମାତ୍ରାରେ ଖର୍ଚ୍ଚ କରିବାରେ ଲାଗିଛି। ସୂତ୍ର ମୁତାବକ ଚୀନ ରୁଷ ତୂଳନାରେ ତିନି ଗୁଣ ଅଧିକ ଅର୍ଥ  ସାମରିକ ଉପରେ ଖର୍ଚ୍ଚ କରୁଛି। ଚୀନର ରଣନୀତି ଏହା ଯେ, ଆମେରିକାର ଲଢୁଆ ଜାହାଜ ଓ ଲଢୁଆ ବିମାନକୁ ନିଜ ପାଖକୁ ଆସିବାକୁ ନ ଦେବ। ଏଥିପାଇଁ ଚୀନ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ବୃଦ୍ଧି କରୁଛି। ଏହା ସହିତ ରାଡାର କ୍ଷମତାକୁ ଆହୁରି ବିକଶିତ କରୁଛି।

ଚୀନର ମୁକାବିଲା ପାଇଁ ବ୍ରିଟେନ୍ ଏସିଆକୁ ପଠାଉଛି ସୈନିକଫାଇନାନସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଚୀନର ମୁକାବିଲା ପାଇଁ ଆମେରିକାର ନିକଟତର ସହଯୋଗୀ ବ୍ରିଟେନ୍‌ ମଧ୍ୟ ଏସିଆରେ ନିଜର ସୈନିକଙ୍କୁ ପଠାଉଛି। ବ୍ରିଟେନ୍‌ ସେନାର କହିବା ଅନୁଯାୟୀ ଏସିଆର ସହଯୋଗୀ ଦେଶ ସହିତ କୃତ୍ରିମ ବୁଦ୍ଧିମତା ଉପଯୋଗ କରି ସୁଏଜ କେନାଲ ନିକଟରେ ଅଧିକ ସୈନିକ ମୁତୟନ କରି ଚୀନ ଉପରେ ଲଗାମ ଲଗାଯାଇ ପାରିବ। ଏଥିପାଇଁ ବ୍ରିଟେନ୍‌ର ତିନି ସେନାର ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *