କରୋନାର ନିରପେକ୍ଷ ଯାଞ୍ଚ କରିବାକୁ ଭାରତ ସହ ବିଶ୍ବର ୬୨ ଦେଶ କଲେ ଦାବି
ନୂଆଦିଲ୍ଲୀ:-କରୋନା ଭାଇରସର ଆରମ୍ଭ ଚୀନର ଉହାନ ସହରରୁ ହୋଇଥିଲା। ଏବେ ଏହା ସାରା ବିଶ୍ବକୁ କବଳିତ କରିଛି। ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଛି। କରୋନା ଭାଇରସକୁ ଚୀନ ଲୁଚାଇବାକୁ ଚେଷ୍ଟା କରିବା ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଳୁଏଚଓ)କୁ ଚାପ ପକାଇଥିଲା। ଏବେ ଚୀନକୁ ସମର୍ଥନ କରିଥିବା ଡବ୍ଳୁଏଚଓ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତ ସହିତ ସାରା ବିଶ୍ବର ୬୨ ଦେଣ ଏକାଠି ହୋଇ ସ୍ବତନ୍ତ୍ର ଯାଞ୍ଚ କରିବାର ଦାବି କରିଛନ୍ତି।
ସୋମବାର ଓ୍ବାର୍ଲ୍ଡ ହେଲଥ୍ ଆସେମ୍ବଲି(WHA) ରେ ୟୁରୋପିଆନ୍ ୟୁନିୟନ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ, କୋଭିଡ୍-୧୯କୁ ନେଇ ସମସ୍ତ ମାମଲାର ନିରପେକ୍ଷ, ସ୍ବତନ୍ତ୍ର ଓ ବିସ୍ତୃତ ଯାଞ୍ଚ କରାଯାଉ। WHA ରେ ଏହି ପ୍ରସ୍ତାବ ସର୍ବସମ୍ମିତି କ୍ରମେ ଅନୁମୋଦନ ଲାଭ କରିଛି। ଏହାକୁ ଚୀନ୍ କିମ୍ବା ଆମେରିକା କେହି ବିରୋଧ କରିନାହାନ୍ତି। ତେବେ ଦୁଇ ଦେଶ ଏହି ୬୨ ଦେଶଙ୍କ ସୂଚୀରେ ନାହାନ୍ତି, ଯେଉଁମାନେ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହି ପ୍ରସ୍ତବରେ ଡବ୍ଳୁଏଚଓକୁ ଇଣ୍ଟରନ୍ୟାସନାଲ ଏଜେନ୍ସି ସହ ମିଶି ଭାଇରସର ଉତ୍ପତ୍ତି ସମ୍ପର୍କରେ ପତ୍ତା ଲଗାଇବାକୁ ଚେଷ୍ଟା କରାଯାଉଛି।










