କରୋନା ସଂକ୍ରମଣ ମାମଲାରେ ରୁଷକୁ ପଛରେ ପକାଇଲା ଭାରତ,
ନୂଆଦିଲ୍ଲୀ :–ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପରିଣାମସ୍ଵରୂପ ଭାରତ ଏବେ ରୁଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଆମେରିକା ଶୀର୍ଷରେ ଥିବା ବେଳେ ବ୍ରାଜିଲ୍ ଦ୍ଵିତୀୟରେ ରହିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସକାଳ ୮ଟାର ତଥ୍ୟ ଅନୁଯାୟୀ ଅଦ୍ୟାବଧି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬, ୭୩, ୧୬୫ ରହିଛି। ଏହି ମହାମାରୀରେ ୧୯,୨୮୬ ଲୋକଙ୍କ ପ୍ରାଣହାନୀ ଘଟିଛି। ସଂପ୍ରତି ପ୍ରତିଦିନ ୨୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସୁଛି। କିନ୍ତୁ ମନ୍ତ୍ରଣାଳୟର କହିବା କଥା କୋଟି କୋଟି ଜନସଂଖ୍ୟା ଅନୁଯାୟୀ, ସଂକ୍ରମଣ ହାର ଦେଶରେ କମ୍ ରହିଛି ଏବଂ ସୁସ୍ଥହାର ମଧ୍ୟ ବଢି ଚାଲିଛି। ରବିବାର ଜାରି ତଥ୍ୟ ଅନୁଯାୟୀ ଦେଶରେ କରୋନାରୁ ଆରୋଗ୍ୟ ହାର ୬୦.୭୬ ପ୍ରତିଶତରେ ପହଞ୍ଚିଛି।ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ସକ୍ରିୟ କେସ୍ଠୁ ସୁସ୍ଥ କେସ୍ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ୧୪,୮୫୬ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସୁସ୍ଥହାର ଅଧିକ ରହିବା ସରକାରଙ୍କ ପ୍ରୟାସକୁ ପ୍ରତିଫଳିତ କରୁଛି। ଆମେରିକାରେ ଏ ପର୍ଯ୍ୟନ୍ତ ୨୯ ଲକ୍ଷ ୫୩ ହଜାର ୧୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୨ ହଜାରରୁ ଅଧିକଙ୍କ ମୃତ୍ୟୁ ଘଟି ସାରିଛି। ଏହି ପରି ବ୍ରାଜିଲ୍ରେ ୧୫ ଲକ୍ଷ ୭୮ ହଜାର ୩୭୬ ସଂକ୍ରମଣର ଶିକାର ହୋଇଥିବା ବେଳେ ୬୪ ହଜାର ୩୬୫ ଜଣଙ୍କ ମହାମାରୀରେ ମୃତ୍ୟୁ ଘଟି ସାରିଛି।