ଲଦାଖବାସୀ କହୁଛନ୍ତି-ଚୀନ ଆମର ଜମି କବ୍‌ଜା କରିଛି, ପ୍ରଧାନମନ୍ତ୍ରୀ କହୁଛନ୍ତି- ଏମିତି କିଛି ହୋଇନାହିଁ, କେହି ତ ମିଛ କହୁଛି: ରାହୁଲ

ନୂଆଦିଲ୍ଲୀ:- ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଭାରତ ଓ ଚୀନ ମଧ୍ୟରେ ଲମ୍ବା ସମୟ ଧରି ଜାରି ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଚାନକ ଲେହ ଗସ୍ତ କରିଛନ୍ତି। ଏହା ଉପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଭିଡିଓ ଟ୍ଵିଟ୍‌ କରି ଲଦାଖର ଲୋକ ଚୀନ ଦ୍ଵାରା ଦେଶର ଜମି କବ୍‌ଜା ହୋଇଥିବା କହୁଥିବା କହିଛନ୍ତି। ଭିଡିଓରେ ରାହୁଲ ଲେଖିଛନ୍ତି ଯେ, ଚୀନ ଆମର ଜମି କବ୍‌ଜା କରିଛି। ପ୍ରଧାନମନ୍ତ୍ରୀ କହୁଛନ୍ତି କେହି ହେଲେ ଆମ ଜମି ଉପରେ କବ୍‌ଜା କରି ନାହାନ୍ତି। ଏଥିରୁ ସ୍ପଷ୍ଟ ଯେ, କେହି ତ ମିଥ୍ୟା କହୁଛି। ଉଲ୍ଲେଖଯୋଗ୍ୟ, ନିକଟରେ ଗଲଓ୍ଵାନ ଉପତ୍ୟକାରେ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଚୀନ ଆମର କୌଣସି ଜାଗା କବ୍‌ଜା କରି ନାହିଁ।

ଲଦାଖ ଏଲଏସିରେ ଚୀନ ସହ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଆଜି ଲେହ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ଅଗ୍ରୀମ ପୋଷ୍ଟରେ ଯବାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥଳସେନା, ବାୟୁସେନା ଓ ଆଇଟିବିପିର ଯବାନଙ୍କୁ ଭେଟିଛନ୍ତି। ସେ ଅଧିକାରୀଙ୍କଠୁ ସଦ୍ୟତମ ସ୍ଥିତି ଏବଂ ପ୍ରସ୍ତୁତି ବିଷୟରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ସିଡିଏସ ବିପିନ ରାଓ୍ଵତ ଓ ସ୍ଥଳସେନାଧ୍ୟଶ୍ର ଜେନେରାଲ ବିପିନ ରାଓ୍ଵତ ମନୋଜ ମୁକୁନ୍ଦ ନରଓ୍ଵଣେ ମଧ୍ୟ ଥିଲେ। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ସୀମାରେ ପହଞ୍ଚି ସୈନିକଙ୍କୁ ଉତ୍ସାହିତ କରିବା ସହିତ ଚୀନକୁ ଦୃଢ ସନ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ସେନା ମଧ୍ୟରେ ଲଦାଖରେ ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ହେବ ଉତ୍ତେଜନା ଜାରି ରହିଛି। ଜୁନ ୬ରେ ଉଭୟ ପକ୍ଷ ପଛକୁ ହଟିବାକୁ ସହମତି ପ୍ରକାଶ କରିଥିଲେ। ମାତ୍ର ଚୀନ ନିଜର ସେନା ପ୍ରତ୍ୟାହାର କରିନଥିଲା। ଏହି କାରଣରୁ ଜୁନ ୧୫ରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ୍ ହୋଇଥିବା ବେଳେ ଚୀନର ୪୩ ସୈନିକ ନିହତ ହୋଇଥିଲେ। ଏହା ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା। ଜୁନ ୨୨ରେ ସୈନ୍ୟ କମାଣ୍ଡରସ୍ତରୀୟ ବୈଠକ ମଧ୍ୟ ହୋଇଥିଲା। ପ୍ରତ୍ୟେକ ଥର ସହମତି ପ୍ରକାଶ ପାଇଲେ ମଧ୍ୟ ଚୀନ ଏଲଏସିରେ ସୈନ୍ୟ ଠୁଳ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *