ଦ୍ଵିତୀୟ ଥର ଆସୁଛି ମହାବାତ୍ୟା, NDRFର ୩୨ ଟିମ୍ ମୁତୟନ
ନୂଆଦିଲ୍ଲୀ :-ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ସୁପର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି। ମେ ୨୦ରେ ଏହା ବିକଟାଳ ରୂପ ଧରି ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିପାରେ। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୁଇ ରାଜ୍ୟରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ନିମନ୍ତେ ଏନଡିଆରଏଫର ୩୨ଟି ଟିମ୍କୁ ମୁତୟନ କରାଯାଇଛି ଏବଂ ୯ଟି ଟିମ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। କୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତି ମୁକାବିଲା ଲାଗି ସେନା, ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡର ଟିମ୍କୁ ମଧ୍ୟ ଆଲର୍ଟ କରାଯାଇଛି।
ଏନଡିଆରଏଫର ଡିଜି ଏସଏନ ପ୍ରଧାନ ଓ ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ରାତିରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ଅମ୍ଫାନ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ମହାପାତ୍ର କହିଛନ୍ତି, ଅମ୍ଫାନ ଦ୍ରୁତ ଗତିରେ ଭୟଙ୍କର ହୋଇ ଚାଲିଛି। ମେ ୧୬ରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୋମବାର ସକାଳ ୧୧ଟାରେ ସୁପର ସାଇକ୍ଲୋନରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଅମ୍ଫାନ ସୁନ୍ଦରବନରେ ଦିଘା ଓ ହଟିଆ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।ଆଇଏମ୍ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ୨୦ ତାରିଖ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫାନ ସୁନ୍ଦରବନ ନିକଟରେ ଦିଘା ଏବଂ ହାତିଆ ମଝିରେ ଅମ୍ଫାନ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ରୁ ୧୭୫ କି.ମି ରହିବ। ସମୁଦ୍ରରେ ୪ ରୁ ୬ ମିଟର ଉଚ୍ଚର ଲହଡି ଉଠିପାରେ। ୧୨ ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଧ୍ଵଂସ କରିପାରେ। ରାଜ୍ୟର ପଶ୍ଚିମି ମେଦିନିପୁର, ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା, ହାଓ୍ଵଡା, ହୁଗୁଳି ଓ କୋଲକାତା ଏଥିରେ ଅଧିକ ପ୍ରଭାବିତ ହୋଇପାରେ। ଓଡିଶାରେ ଏହାର ପ୍ରଭାବ କିଛିଟା କମ ରହିପାରେ। କିନ୍ତୁ ଏହାରି ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ସହ ଜୋରରେ ପବନ ବହିପାରେ।ଜୋର ପବନ ବହିବା କାରଣରୁ ଚାଳ ଛପର ଏବଂ ପୁରୁଣା ଘର ଅଧିକ କ୍ଷତିଗ୍ରସ୍ତ ହୋଇ ପାରନ୍ତି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ନେବା ଲାଗି ବ୍ୟବସ୍ଥା କରାଯାଉଛି।










