ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧି ନଥିଲେ, ଦେଲେ ୧୩ ହଜାର ଟଙ୍କା ଜରିମାନା
ନୂଆଦିଲ୍ଲୀ:-ଲକ୍ଡାଉନ୍ ୨.୦ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଷଷ୍ଠ ଥର ପାଇଁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନାଠୁ ଅଧିକ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ଏହି ସମୟରେ ସେ ଏମିତି ଏକ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ଦେଇଛନ୍ତି, ଯିଏ ନିୟମ ପାଳନ ନକରିବାରୁ ତାଙ୍କୁ କେମିତି ଜରିମାନା ଦେବାକୁ ପଡିଥିଲା। ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ ବୁଲଗେରିଆର ପ୍ରଧାନମନ୍ତ୍ରୀ ବୋକୋକୋ ବୋରିସୋଭଙ୍କ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୋରିସୋଭ ବିନା ମାସ୍କ ପିନ୍ଧି ଏକ ଚର୍ଚ୍ଚକୁ ଯାଇଥିଲେ। କିନ୍ତୁ ମାସ୍କ ପିନ୍ଧିନଥିବା କାରଣରୁ ତାଙ୍କୁ ୧୩ ହଜାର କୋଟି ଟଙ୍କାର ଜୋରିମାନା ଗଣିବାକୁ ପଡିଥିଲା।
ବୁଲଗେରିଆରେ କରୋନା ମାମଲା ବଢିବା ପରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ଚଳିତ ମାସରେ ସେଠାକାର ପ୍ରଧାନମନ୍ତ୍ରୀ ବିନା ମାସ୍କରେ ଚର୍ଚ୍ଚରେ ପ୍ରବେଶ କରିଥିଲେ। ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କର ଏବଂ କର୍ମଚାରୀଙ୍କ ଉପରେ ଜରିମାନା ଲଗାଯାଇଥିଲା।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ନିଜର ସମ୍ବୋଧନରେ ବୁଲଗେରିଆ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଆପଣ ଖବରରେ ଦେଖିଥିବେ ଯେ, ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମାସ୍କ ପିନ୍ଧି ନଥିବା କାରଣରୁ ଜରିମାନା ଦେବାକୁ ପଡିଥିଲା। ଭାରତରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଏମିତି ସକ୍ରିୟତାର ସହ କାମ କରିବାକୁ ପଡିବ। ଏହା ୧୩୦ କୋଟି ଜନତାଙ୍କ ରକ୍ଷାର ଅଭିଯାନ। ଗାଁର ପ୍ରଧାନ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ, କେହି ମଧ୍ୟ ଆଇନର ଉର୍ଦ୍ଧ୍ଵରେ ନାହାନ୍ତି।










