ଆଜି ରାତି ୧୦ଟାରୁ ପୁରୀରେ ଲାଗୁ ହେବ ୪୮ଘଣ୍ଟିଆ କର୍ଫ୍ୟୁ
ପୁରୀ:-ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ବାହୁଡା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ସମଗ୍ର ପୁରୀ ଜିଲ୍ଲାରେ ଆଜି ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ସୂଚନା ମୁତାବିକ, ଜୁନ୍ ୩୦ ତାରିଖ ରାତି ୧୦ଟା ଠାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଶନିବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି।ରଥଯାତ୍ରା ସମୟରେ ମଧ୍ୟ ଜିଲ୍ଲା ପ୍ରଶାସନ ଅନୁରୂପ କର୍ଫ୍ୟୁ ଘୋଷଣା କରିଥିଲେ।
ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ଅଭୂତପୂର୍ବ ସଫଳତା ମିଳିଛି। ଆସନ୍ତାକାଲି ବାହୁଡା ଯାତ୍ରାକୁ ବି କୋଭିଡ୍ କଟକଣା ଭିତରେ ସୁପ୍ରିମକୋର୍ଟ ଆଦେଶ ଆଧାରରେ ପାଳନ କରିବାକୁ ହେବ। ଜନଜୀବନ ସୁରକ୍ଷା ପାଇଁ ପୂରୀ ଜିଲ୍ଲା ଭିତରକୁ ପ୍ରବେଶ ଉପରେ କଟକଣା ଲାଗିବ। କେବଳ ଜରୁରି ସେବାରେ ନିୟୋଜିତ ଯାନବାହନକୁ ଜିଲ୍ଲାକୁ ପ୍ରବେଶ ଅନୁମତି ମିଳିବ। ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ। ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଏବଂ ସହରବାସୀଙ୍କୁ ନିବେଦନ କରିଛନ୍ତି।
ଜିଲ୍ଲାପଳ କହିଛନ୍ତି ବାହୁଡା, ସୁନାବେଶ, ଅଧରପଣା ଆଉ ନୀଳାଦ୍ରି ବିଜେ ପର୍ବକୁ ଭକ୍ତମାନେ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିପାରିବେ ନାହିଁ। ଏହି ସବୁ ଯାତ୍ରା ଟେଲିଭିଜନ ଜରିଆରେ ସିଧା ପ୍ରସାରଣ କରାଯିବ। ପୁରୀରେ ସମସ୍ତ ହୋଟେଲ୍, ଲଜ୍, ହଲିଡେ୍ ହୋମ, ଧର୍ମଶାଳା ଆଦିରେ କୌଣସି ବୁକିଂ ବନ୍ଦ ରହିବ।