ଓଡ଼ିଶାରେ ପହଞ୍ଚିଲା ରେମଡେସିଭିର୍; ଗୁରୁତର କରୋନା ରୋଗୀଙ୍କ ପାଇଁ ହେବ ସଞ୍ଜିବନୀ
ଭୁବନେଶ୍ୱର:-ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ।
ସୂଚନାଯୋଗ୍ୟ, ମହାମାରୀ କରୋନାକୁ କେତେକାଂଶରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିରକୁ ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ସର୍ତ୍ତମୂଳକ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲା।
ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ‘ହେଟେରୋ’କୁ ‘ରେମଡେସିଭିର’ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା । ଏହା ପରେ ହେଟେରୋ ଏହାର ନାମ ‘କୋଭିଫର୍’ ରଖି ଉତ୍ପାଦନ ଆରମ୍ଭ କରିଥିଲା। କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନା ପରି କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟକୁ ୨୦,୦୦୦ କୋଭିଫର ବୋତଲ ପଠାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା ଓ ଭୁବନେଶ୍ୱର, ରାଞ୍ଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଆଜି ଏହି ଔଷଧ ଓଡ଼ିଶାରେ ପହଞ୍ଚିଛି। ୩-୪ ସପ୍ତାହ ମଧ୍ୟରେ କମ୍ପାନୀ ଏକ ଲକ୍ଷ ଔଷଧ ଉତ୍ପାଦନ କରିବାକୁ ଲକ୍ଷ ରଖିଥିବା ସେତେବେଳେ କହିଥିଲା।
ତେବେ ଏହି ଔଷଧ ଅନ୍ୟ କୌଣସି ଔଷଧ ଦୋକାନର ମିଳିବ ନାହିଁ। କେବଳ ହସ୍ପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ ବୋଲି ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀର ଏମ୍ଡି ଭାମସୀ କ୍ରିଷ୍ଣା କହିଛନ୍ତି। ଗର୍ଭବତୀ ମହିଳା, ଲିଭର ଓ କିଡ୍ନୀ ଫେଲ୍ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ହେଟେରୋ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘କୋଭିଫର’ ଏକ ୧୦୦ ମିଲିଗ୍ରାମର ଛୋଟିଆ କାଚ ଭିତରେ ରହିଛି। ଏହାର ଦାମ ୫,୪୦୦ ଟଙ୍କା ରହିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ କରୋନା ରେମଡେସିଭିର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମତି ପାଇଛି ହେଟେରୋ କମ୍ପାନୀ।
ରେମଡେସିଭିରକୁ ପରୀକ୍ଷାମୂଳକ ଭାବେ ଆଣ୍ଟି ଭାଇରାଲ ଥେରାପି ରୂପେ ଗିଲଡ ପକ୍ଷରୁ ବାହାର କରାଯାଇଥିଲା। ଇବୋଲା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଔଷଧକୁ ଆମେରିକା କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିଥିଲା। ସେଠାରେ ମଧ୍ୟ କେବଳ ଜରୁରୀ ବା ଅତ୍ୟନ୍ତ ସଙ୍କଟ ଅବସ୍ଥାରେ ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାରକୁ ଅନୁମତି ମିଳିଥିଲା।