ସ୍ୱାବ୍‌ ନମୁନା ସଂଗ୍ରହ ବେଳେ ଉତ୍ତେଜନା: ଆମ୍ବୁଲାନ୍ସ ଡ୍ରାଇଭର, ସରପଞ୍ଚଙ୍କୁ ମାଡ଼

ବିଞ୍ଝାରପୁର,:-ସରକାରୀ ସଂଗରୋଧରେ ଥିବା ପ୍ରବାସୀଙ୍କ ସ୍ୱାବ୍‌ ନମୁନା ସଂଗ୍ରହକୁ କେନ୍ଦ୍ରକରି ବିଞ୍ଝାରପୁର ବ୍ଲକ୍‌ ଅନ୍ତର୍ଗତ ଅରେଇ ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପ୍ରବାସୀଙ୍କ ସ୍ୱାବ୍‌ ନମୁନା ସଂଗ୍ରହ ପାଇଁ ଆସିଥିବା ଆମ୍ୱୁଲାନ୍ସ ଡ୍ରାଇଭରକୁ ପ୍ରବାସୀଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିବା ସହ ସ୍ଥାନୀୟ ସରପଞ୍ଚ ଦେବାନନ୍ଦ ମଲ୍ଲିକଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଚଳିତ ମାସ ୧୪ତାରିଖ ଅରେଇ ପଞ୍ଚାୟତ ଗୋପାଳପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ସମେତ ଆଉ କିଛି ଲୋକ ଦିଲ୍ଲୀରୁ ଫେରି ସ୍ଥାନୀୟ ବରୁଣେଶ୍ୱର ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିଲେ । ସେମାନଙ୍କ ମଧ୍ୟରୁ ଗୋପାଳପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ ଆଜି ଡାକ୍ତରୀ ଦଳ ପକ୍ଷରୁ ଆମ୍ୱୁଲାନ୍ସ ପଠାଯାଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କୁ ଆଣିବା ସମୟରେ ଅନ୍ୟ ପ୍ରବାସୀମାନେ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଦାବି କରିଥିଲେ ।

ଆମ୍ୱୁଲାନ୍ସ ଡ୍ରାଇଭର ବାରଣ କରିବାରୁ କେତେକ ପ୍ରବାସୀଙ୍କ ସମ୍ପର୍କୀୟ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ସରପଞ୍ଚ ଦେବାନନ୍ଦ ମଲ୍ଲିକ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ ଶ୍ରୀ ମଲ୍ଲିକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏ ସଂପର୍କରେ ସରପଞ୍ଚ ଶ୍ରୀ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭତ୍ତି କରି ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି ।

Leave a Reply

Your email address will not be published. Required fields are marked *