ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ

ଭୁବନେଶ୍ୱର:-ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର ଅଧ୍ୟକ୍ଷ ଜେ.କେ. ମହାନ୍ତି । ସାରା ଦେଶ ଓ ବିଦେଶରେ ପାଳନ ହେଉଥିବା ଏହି ଉତ୍ସବ ଦିନ ଜାତୀୟ ଛୁଟି ଘୋଷଣା କରାଗଲେ ଏହା ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ମଧ୍ୟ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଜାତୀୟ ଛୁଟି ଘୋଷଣା ପ୍ରସ୍ତାବ ପଛରେ ଯୁକ୍ତି ଦର୍ଶାଇ ଶ୍ରୀ ମହାନ୍ତି କହିଛନ୍ତି ପୁରୀ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ସାରା ଦେଶ ଓ ବିଦେଶରୁ ହଜାର ହଜାର ସଂଖ୍ୟାରେ ଲୋକ ଏହି ଉତ୍ସବ ଦେଖିବାକୁ ଆସନ୍ତି । ଏବେ ରଥଯାତ୍ରା ପୁରୀ ଆଉ ଓଡ଼ିଶା ଭିତରେ ସୀମିତ ରହିନାହିଁ । ଏହା କେବଳ ଓଡ଼ିଆମାନଙ୍କ ପର୍ବ ହୋଇ ମଧ୍ୟ ରହି ନାହିଁ । ଦେଶର ପ୍ରାୟ ଅଧିକାଂଶ ପ୍ରମୁଖ ସହରରେ ଏହି ପର୍ବ ପାଳନ କରାଯାଉଛି । ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଭାଗ ନେଉଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ ରଥରେ ଦେଖିବାକୁ ଓ ରଥ ଟାଣିବାକୁ ସାରା ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ତେଣୁ ଏହି ପବିତ୍ର ଦିନକୁ ଜାତୀୟ ଛୁଟି ଘୋଷଣା କଲେ ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେଇପାରନ୍ତେ ।ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଓ ଧାର୍ମିକ ଭାବନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ରଥଯାତ୍ରା ଆହୁରି ଲୋକପ୍ରିୟ ହୋଇପାରନ୍ତା । ଆମ ସଂସ୍କୃତି ଓ ପର୍ଯ୍ୟଟନକୁ ରଥଯାତ୍ରା ମାଧ୍ୟମରେ ଆଗକୁ ନେଇ ହୁଅନ୍ତା । ଶ୍ରୀ ମହାନ୍ତି ଚିଠିରେ ଆହୁରି କହିଛନ୍ତି, ପୁରୀରେ ଐତିହାସିକ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳନ ହୋଇଆସୁଛି ।

Leave a Reply

Your email address will not be published. Required fields are marked *