ବାତ୍ୟା ଗୁଜବ: ଚଢ଼ା ଦରରେ ବସ୍ତା ବସ୍ତା ବୋହି ନେଲେ ଆଳୁ, ପିଆଜ

ଭୁବନେଶ୍ୱର:-ଅନେକ ଲୋକେ ବାତ୍ୟା ଆସିବା ଖବର ଶୁଣି ବଜାରକୁ ଆଳୁ, ପିଆଜ କିଣିବାକୁ ଦୌଡୁଥିଲେ ।
   ରାଜଧାନୀର ଅଧିକାଂଶ ଛକ, ବଜାର, ହାଟରେ ଥିବା ପରିବା ଦୋକାନରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । ହାତରେ ପରିବା ବ୍ୟାଗ୍‌ ଧରି ଲୋକେ ବଜାରକୁ ଛୁଟିଥିଲେ । କିଏ ୫କେଜି ଆଳୁ କିଣୁଥିଲା ତ, ଆଉ କିଏ ୩ କେଜି ପିଆଜ କିଣି ଆଣିଥିଲେ ।
   ବାତ୍ୟା ପାଇଁ ଏହି ଆତଙ୍କିତ କିଣା ସେତିକିରେ ଅଟକିନଥିଲା । ସ୍କୁଟି ଧରି ଅନେକ ଲୋକେ ଆଇଗିଣିଆ ମଣ୍ଡିକୁ ଦୌଡିଥିଲେ । କିଏ ବସ୍ତା ଭର୍ତ୍ତି ପିଆଜ ତ’ ଆଉ କିଏ ଆଳୁ ବୋହି ଆଣିଥିଲେ । ପ୍ରାୟ ୫୦୦ଲୋକ ଆଜି କୁବେରପୁରୀ ମଣ୍ଡିକୁ ଯାଇ ଆଳୁ ପିଆଜ କିଣିଛନ୍ତି । ସେମାନେ ମଣ୍ଡିରୁ ହିଁ କୁଇଣ୍ଟାରରୁ ଅଧିକ ଆଳୁ, ପିଆଜ ବୋହି ନେଇଥିଲେ । 

ସାଧାରଣ ଲୋକେ ମଣ୍ଡିରୁ ଆଳୁ, ପିଆଜ କିଣି ନେବା ପରେ ଏହା ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଥିଲା । ରାଜଧାନୀରେ ଦୈନିକ ୩୫୦ଟନ୍‌ ଆଳୁ ଓ ୨୫୦ଟନ୍‌ ପିଆଜ ଆବଶ୍ୟକ ପଡେ । କିନ୍ତୁ ଆଜିର ଆମଦାନୀ ସାମାନ୍ୟ କମ୍‌ ଓ ମଣ୍ଡିକୁ ଆଜି ଲୋକେ କିଣିବା ଯୋଗୁ ଖୁଚୁରା ବଜାରରେ ଚାହିଦା ମୁତାବକ ପହଞ୍ଚିନଥିଲା । ତେବେ ବାତ୍ୟା ଆଶଙ୍କା ସତ୍ତେ୍ୱ ଆଗକୁ ଆଳୁ, ପିଆଜ ଆମଦାନୀ କମିବାର ଭୟ ନାହିଁ । ଏଣୁ ଲୋକେ ଭୟଭୀତ ନ ହେବାକୁ ଅପିଲ୍‌ କରିଛନ୍ତି କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ।
  

ସେପଟେ ଲୋକଙ୍କ ଭୟର ଫାଇଦା ଉଠାଇ ଦରକୁ ମନଇଚ୍ଛା ବଢ଼ାଇ ଦେଇଥିଲେ ଖୁଚୁରା ବ୍ୟବସାୟୀ । ଆଜି ଆଳୁର ହୋଲସେଲ୍‌ ଦର ୧୭୫୦ଟଙ୍କା ଥିଲା । ପିଆଜ ଦର ଥିଲା ୧୩୦୦ରୁ ୧୪୦୦ଟଙ୍କା । ଯୋଗାଣ ବିଭାଗର ନିୟମ ଅନୁସାରେ ହୋଲସେଲ ଦରଠାରୁ ସର୍ବାଧିକ ୪ଟଙ୍କା ଅଧିକରେ ବିକ୍ରି କରି ହେବ । ଏହି ହିସାବରେ ଖୁଚୁରା ମାର୍କେଟରେ ଆଳୁ ୨୦ଟଙ୍କା ୫୦ ପଇସା ଓ ପିଆଜ ୧୭ରୁ ୧୮ ଟଙ୍କାରେ ବିକ୍ରି ହେବା କଥା । କିନ୍ତୁ ଆଜି ଅଧିକାଂଶ ସ୍ଥାନରେ ଆଳୁ ୨୫ରୁ ୩୦ଟଙ୍କା ଓ ପିଆଜ ୨୦ରୁ ୨୫ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି ।

Leave a Reply

Your email address will not be published. Required fields are marked *