ପୁଲଓ୍ୱାମାରେ ଏନ୍କାଉଣ୍ଟର : ୨ଆତଙ୍କୀ ନିହତ, ଜଣେ ଯବାନ ସହିଦ
ଶ୍ରୀନଗର:-ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଏନ୍କାଉଣ୍ଟର ହୋଇଛି । ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ତେବେ ଏନ୍କାଉଣ୍ଟରେ ଜଣେ ସିଆର୍ପିଏଫ୍ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପଟୁ ରହି ରହି ଗୁଳିମାଡ ଚାଲିଛି ।ସୂଚନାଯୋଗ୍ୟ ଯେ, ପୁଲଓ୍ୱାମାରେ ବନ୍ଦଜୁ ଅଞ୍ଚଳରେ ପାଞ୍ଚଜଣ ଆତଙ୍କୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଖବର ମିଳିବା ମାତ୍ରେ ପୋଲିସ-ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଯାଇଥିଲେ । ପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ । ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ଶେଷ ଖବରମୁତାବିକ ସେନା ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନ୍କାଉଣ୍ଟର ଘଟିଥିବା ଅଞ୍ଚଳରେ ଅନ୍ୟ କିଛି ଆତଙ୍କୀ ଲୁଚି ରହିଥିବାର ଅନୁମାନ କରି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।










