ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ରିୟା ଦାୟୀ ! ବିହାର କୋର୍ଟରେ କେସ୍, ୨୪ରେ ଶୁଣାଣି
ପାଟଣା:-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର କେବଳ ବଲିଉଡକୁ ନୁହେଁ ପୁରା ଦେଶକୁ ଦୋହଲାଇ ଦେଇଛି | ସୋସିଆଲ ମିଡ଼ିଆ ଜରିଆରେ ସେଲିବ୍ରିଟି ତଥା ପ୍ରଶଂସକ ଶୋକ ପ୍ରକାଶ କରୁଛନ୍ତି | ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସପ୍ତାହେ ବିତିଯାଇଛି | ତଥାପି ଲୋକେ ମନରୁ ଏହି ଘଟଣାକୁ ବାହାର କରିପାରୁନାହିନ୍ତି | ସୁଶାନ୍ତ ସିଂହଙ୍କ ନିଧନ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି | ନେପୋଟିଜିମକୁ ନେଇ ସେଲିବ୍ରିଟି ନିଜ ନିଜ ମତ ପ୍ରକାଶ କରୁଛନ୍ତି | ଇତି ମଧ୍ୟରେ ମୁଜାଫରପୁର କୋର୍ଟରେ ଆତ୍ମହତ୍ୟା ମାମଲାରେ ଏକ ପିଟିସନ ଦାଏର କରାଯାଇଛି | ଶନିବାର ଦିନ ମୁଜାଫରପୁର ସଦର ଥାନାର ପଟହୀ ଗାଁର କୁନ୍ଦନ କୁମାର ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତରେ ମାମଲା ଦାଏର କରିଛନ୍ତି | ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ହୋଇଛି |
ନବଭାରତ ଟାଇମ୍ସ ସହ କଥାବାର୍ତ୍ତାରେ କୁନ୍ଦନ କୁମାର ଆରୋପ ଲଗାଇଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଷଡଯନ୍ତ୍ର କରି ସୁଶାନ୍ତ ସିଂହଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଫାଇଦା ଉଠାଇଥିଲେ | ସୁଶାନ୍ତ ସିଂହ ରିୟାଙ୍କ ସହ ବାହାଘର ସମ୍ପର୍କରେ ନିଜ ପରିବାର ସହ କଥାବାର୍ତ୍ତା ମଧ୍ୟ କରିଥିଲେ | କିନ୍ତୁ ତା ଭିତରେ ରିୟା ତାଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗି ଦେଇଥିଲେ | ଧାରା ୪୨୦ ଓ ଧାରା ୩୦୬ ଅନୁଯାୟୀ ରିୟାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଜୁନ ୨୪ ତାରିଖରେ ଏହି ମାମଲାର ଶୁଣାଣି ହେବ | ଏହା ପୂର୍ବରୁ ସୁଶାନ୍ତ ସିଂହଙ୍କ ସମ୍ପର୍କୀୟ ଭାଇ ଏ ସମ୍ପର୍କରେ ଖୁଲାସା କରିଥିଲେ ଯେ ସୁଶାନ୍ତ ସିଂହ ଚଳିତ ବର୍ଷ ନଭେମ୍ବର ମାସରେ ବିବାହ କରିଥାନ୍ତେ |
ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ମାମଲାରେ ବିହାର ମୁଜାଫରପୁର ସିଜେଏମ ଅଦାଲତରେ ଦୁଇଟି ମାମଲା ଦାଏର ହୋଇଛି | ଏହା ପୂର୍ବରୁ ଆଇନଜୀବୀ ସୁଧୀର କୁମାର ଓଝା ବଲିଉଡର କିଛି ବଡ ବଡ ଅଭିନେତା, ପ୍ରଯୋଜକ, ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ଦାଏର କରିଥିଲେ | ଏଥିରେ ସଲମାନ ଖାନ, କରନ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭାବିଶାଳୀଙ୍କ ଭଳି ନାଁ ସାମିଲ ରହିଛି |










