ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ବିଜେପି ନେତା ସମ୍ବିତ ପାତ୍ର

ନୂଆଦିଲ୍ଲୀ :-କରୋନା ସଂକ୍ରମଣ ସମୟରେ ଲୋକଙ୍କ ଜୀବନ ଏବଂ ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେଇ ସୁପ୍ରିମକୋର୍ଟ ପୁରୀ ବିଶ୍ଵ ପ୍ରସିନ୍ଧ ରଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ହେଲେ ବିନା ଭକ୍ତରେ ରଥ ଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ ଆବେଦନ ଦାଖଲ ହୋଇ ସାରିଲାଣି। ଏହି କ୍ରମରେ ବିଜେପି ନେତା ତଥା ଗତ ବର୍ଷ ନିର୍ବାଚନରେ ପୁରୀ ଲୋକସଭାରୁ ନିର୍ବାଚନ ଲଢିଥିବା ସମ୍ବିତ ପାତ୍ର ମଧ୍ୟ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି।

ସମ୍ବିତ ନିଜର ଆବେଦନରେ କରୋନା ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଆସିଥିବା ୮୦୦ ସେବାୟତଙ୍କ ଜରିଆରେ ରଥ ଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବାକୁ କହିଛନ୍ତି। ଏହି ସମ୍ଵେଦନଶୀଳ ପ୍ରସଙ୍ଗରେ ଆସନ୍ତାକାଲି ଅର୍ଥାତ ଜୁନ ୨୨ ସକାଳ ୧୧ଟାରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। କଣ ରଥ ଯାତ୍ରାରେ ଜଗାର ରଥ ଗଡିବ ନା ନାହିଁ ଏହାକୁ ନେଇ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଉପରେ କେବଳ ଓଡିଶାବାସୀ ନୁହେଁ ସମଗ୍ର  ବିଶ୍ଵରେ ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି।

ଆବେଦନ ଦାଖଲ କରିବା ପରେ ସମ୍ବିତ ପାତ୍ର ଟ୍ଵିଟ୍ କରି କହିଛନ୍ତି ଯେ, ରଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିବା ସୁପ୍ରିମକୋର୍ଟଙ୍କୁ ନିଜ ଆଦେଶରେ ପୁନଃବିଚାର କରି ସଂଶୋଧନ କରିବାକୁ ଆବେଦନ କରିଛି। ଏହା ସହିତ ଜୁନ ୨୩ରେ ପୁରୀରେ ନିର୍ଦ୍ଧାରିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି। ଆଶା କରୁଛି ଈଶ୍ଵର ଆମ ସମସ୍ତଙ୍କ ପ୍ରାର୍ଥନା ଶୁଣିବେ ବୋଲି ସମ୍ବିତ କହିଛନ୍ତି।

ଉଲ୍ଲେଖନୀୟ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଏହି ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟର ଜଣିକିଆ ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌.ରବିନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଭିଡିଓ କନ୍‌ଫରେନ୍ସି ଜରିଆରେ ଭର୍ଚ୍ୟୁଆଲ୍‌ କୋର୍ଟ ନଂ-୩ରେ ହେବ ଶୁଣାଣିହେବ। ସୁପ୍ରିମକୋର୍ଟ ନିଜ ପୂର୍ବ ଶୁଣାଣିରେ ରଥଯାତ୍ରା ଉପରେ ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ । ସାରାଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ଥିବାରୁ ଏଭଳି ସ୍ଥିତିରେ ରଥଯାତ୍ରା ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିଥିଲା , ଏବଂ ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ମାନିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *