ଦିଲ୍ଲୀରେ କରୋନା ନେଲା ଓଡିଆ ଡାକ୍ତରଙ୍କ ଜୀବନ

ଭୁବନେଶ୍ଵର:-ରାଜଧାନୀ ନୂଆଦିଲ୍ଲୀରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଦୈନିଜ ହଜାର ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏବଂ ଶତାଧିକ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି କ୍ରମରେ ଆଜି ଜଣେ ଓଡିଆ ଡାକ୍ତରଙ୍କ କରୋନାରେ ଦିଲ୍ଲୀରେ ମୃତ୍ୟୁ ଘଟିଛି। ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ  ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ମୃତକ ଡାକ୍ତର ଅଶ୍ଵିନ କୁମାର ପ୍ରତାପ(୩୯) ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ପ୍ରଣାଳୀ ସଂସାଧନ କେନ୍ଦ୍ର (NHSRC)ରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ଜୁନ ୧୬ରେ ତାଙ୍କୁ ପ୍ରଥମେ ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା। ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ପ୍ରତାପ କଟକ ଜିଲ୍ଲାର ବାଙ୍କି ଅଞ୍ଚଳର  ବାସିନ୍ଦା। ସେ ୨୦୦୫ରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ୍ ଓ ହସ୍ପିଟାଲରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରିଥିଲେ। ତାଙ୍କ ସଂପର୍କୀୟ ଏବଂ ପରିଜନ ଡାକ୍ତରଙ୍କ ମୃତ ଶରୀର ଓଡିଶା ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ତାଙ୍କ ଦୁଇଟି ପିଲା ଏବଂ ପତ୍ନୀ ସଂପ୍ରତି ଭୁବନେଶ୍ଵର ସ୍ଥିତ କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *