ରଥଯାତ୍ରା ବନ୍ଦ ନେଇ ଗଜପତିଙ୍କ ବୟାନ, କହିଲେ, ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେବ
ପୁରୀ :-ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଛନ୍ତି କି, ରଥ ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ । ରଥଯାତ୍ରା ନକରିବା ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।ସେ ଆହୁରି କହିଛନ୍ତି ଶ୍ରୀମନ୍ଦିର ବାହାରେ ରଥଯାତ୍ରା ନହଲେ ଶ୍ରୀମନ୍ଦିର ଭିତରେ କଣ କରିବାକୁ ପଡିବ, ତାହା ଖୁବ ଶୀଘ୍ର ନିଷ୍ପତି ନିଆଯିବ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପରିଚାଳନା କମିଟିରେ ଆଲୋଚନା କରାଯାଇ ପରବର୍ତୀ ନୀତି କାନ୍ତି ସଂପର୍କରେ ନିଷ୍ପତି ନିଆଯିବ । ଅନ୍ୟପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ସୁପ୍ରିମ ଫୈସଲା ଆସିବା ପରେ ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ । ସଂଧ୍ୟା ୭ଟା ୪୫ରେ ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସାମିଲ ହେବେ ଆଡଭୋକେଟ ଜେନେରାଲ, ଶ୍ରୀ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା ହୋଇପାରେ ।










