ଜିତିବା ଶିଖାଇ ହାରିଗଲେ ସୁଶାନ୍ତ ସିଂହ: ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର

ମୁମ୍ୱାଇ ;ଚଳଚ୍ଚିତ୍ର ‘ଛିଛୋରେ’ରେ ପ୍ରେରଣାଦାୟୀ ସଂଳାପ ଭେଟିଦେଇ ଲୋକଙ୍କୁ ଜିତିବା ଶିଖାଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ମୁମ୍ବାଇର ବାନ୍ଦ୍ରା ପଶ୍ଚିମସ୍ଥିତ ନିଜ ବାସଭବନରେ ରଶି ଲଗାଇ ରବିବାର ଆତ୍ମହତ୍ୟା କରିଛନ୍ତି ସେ । ଅଚାନକ ସୁଶାନ୍ତଙ୍କ ପରଲୋକ ଖବର ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ବଲିଉଡ୍‌ ନିର୍ବାକ୍‌ ପାଲଟିଥିବା ବେଳେ ତାଙ୍କ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି । କାହାକୁ ବିଶ୍ୱାସ ହେଉନାହିଁ ଯେ ହସ ହସ ମୁହଁ ନେଇ ବଲିଉଡ୍‌ରେ ସଫଳତାର ଶିଡ଼ି ଚଢ଼ୁଥିବା ଅଭିନେତା ସୁଶାନ୍ତ ଆଉ ନାହାନ୍ତି । ମୁମ୍ବାଇ ଡିସିପି ପ୍ରଣୟ ଅଶୋକ ସୁଶାନ୍ତଙ୍କ ପରଲୋକ ଖବର ନେଇ ସ୍ପଷ୍ଟ କରିଛନ୍ତି । ପାରିପାଶ୍ୱିର୍କ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ସତ୍ୟତା ଜାଣିବାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୋମବାର ତାଙ୍କର ଅନ୍ତିମ ସଂସ୍କାର ହେବ । ମୃତ୍ୟୁ ବେଳକୁ ସୁଶାନ୍ତଙ୍କୁ ୩୪ ବର୍ଷ ହୋଇଥିଲା ।

ଡିସିପି ପ୍ରଣୟ ଅଶୋକ କହିଛନ୍ତି, ଅଭିନେତା ସୁଶାନ୍ତ ତାଙ୍କ ୬ ମହଲାବିଶିଷ୍ଟ ଆପାର୍ଟମେଣ୍ଟରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କ ମୃତଦେହ ନିକଟରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ । ତେଣୁ ଏହା ଉପରେ ଅଧିକ ତଦନ୍ତ କରାଯିବ । ଇତିମଧ୍ୟରେ ତଦନ୍ତ ପାଇଁ ତାଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିଛି । ଅନ୍ୟପକ୍ଷରେ ସୁଶାନ୍ତଙ୍କ ମାମୁଁ ଆରସୀ ସିଂହ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ବିଚାରବିଭାଗୀୟ ତଦନ୍ତ ଲାଗି ସେ ଦାବି କରିଛନ୍ତି । ଆସନ୍ତା ନଭେମ୍ବର ମାସରେ ସୁଶାନ୍ତଙ୍କର ବିବାହ ସ୍ଥିର ହୋଇଥିଲା ପାଟନାରେ ସୁଶାନ୍ତଙ୍କ ପରିବାର କହିଛନ୍ତି । କାହା ସହ ବିବାହ ସ୍ଥିର ହୋଇ ନଥିଲା ସେମାନେ କହି ନଥିଲେ ମଧ୍ୟ ସେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଡେଟିଂ କରୁଥିବା ବଲିଉଡ୍‌ରେ ଆଲୋଚନା ହେଉଥିଲା ।

ପୁଲିସ ସୂଚନା ମୁତାବକ ସୁଶାନ୍ତଙ୍କୁ ରବିବାର ତାଙ୍କର କିଛି ବନ୍ଧୁ ଫୋନ୍‌ କରିଥିଲେ । ବାରମ୍ବାର ଫୋନ୍‌ ସତ୍ତେ୍ୱ ସେ ଜବାବ ଦେଇ ନ ଥିଲେ । ଏହାପରେ ବନ୍ଧୁମାନେ ଆସି କବାଟ ବାଡ଼େଇଥିଲେ । ତଥାପି ଜବାବ ମିଳି ନ ଥିଲା । ଏହାପରେ ସେମାନେ କବାଟ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ବିଫଳ ହେବା ପରେ ଜଣେ ଚାବିବାଲାଙ୍କୁ ଡାକି କବାଟ ଖୋଲିଥିଲେ । ଘର ଭିତରେ ସୁଶାନ୍ତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସେମାନେ ଚକିତ ହୋଇପଡ଼ିଥିଲେ । ପୁଲିସ ଚାବିବାଲାଙ୍କର ମଧ୍ୟ ବୟାନ ହାସଲ କରିଛି । ଗଣମାଧ୍ୟମ ରିପୋର୍ଟ ମୁତାବକ ସୁଶାନ୍ତଙ୍କୁ ଆତ୍ମହତ୍ୟାର ପୂର୍ବଦିନ ବନ୍ଧୁମାନଙ୍କ ସହ ଦେଖିବାକୁ ମିଳିଥିଲା । ସେମାନେ ପାର୍ଟି କରିଥିଲେ ।‘କାଇ ପୋ ଚେ’ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ତାଙ୍କ ଘର ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବି ଖରାପ ହୋଇଯାଇଛି । ସୁଶାନ୍ତଙ୍କର କୌଣସି ସମସ୍ୟା ନ ଥିଲା । ସେ ଖୁସି ମିଜାଜରେ ଥିଲେ । ଘର ଲୋକଙ୍କ ସହ ଫୋନ୍‌ରେ କଥା ବି ହୋଇଥିଲେ । ତେଣୁ ତାଙ୍କ ଆତ୍ମହତ୍ୟା ଖବର ସହଜେ ବିଶ୍ୱାସ କରିହେଉ ନାହିଁ ବୋଲି ପରିବାର ଲୋକ ଜଣାଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ଖବର ଜାଣିବା ପରେ ବିହାରସ୍ଥିତ ତାଙ୍କ ପୈତୃକ ଘରେ ଲୋକଙ୍କ ଗହଳି ଜମିବାକୁ ଲାଗିଛି । ସ୍ଥାନୀୟ ଅଞ୍ଚଳରେ ଏହା ଶୋକର ଛାୟା ଖେଳାଇ ଦେଇଛି ।
ସୁଶାନ୍ତ ସିଂହ ରାଜପୁତ ମେଧାବୀ ଛାତ୍ର ଥିଲେ । ଏଆଇଇଇଇରେ ସର୍ବଭାରତୀୟ ସ୍ତରରେ ସପ୍ତମ ର‌୍ୟାଙ୍କ ହାସଲ କରିଥିଲେ । ଦିଲ୍ଲୀ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଏମିତି କି ସେ ଫିଜିକ୍ସ ଅଲିମ୍ପିଆଡ ବି ଜିତିଥିଲେ ।ବିହାରରେ ୧୯୮୬ ଜାନୁଆରୀ ୨୧ରେ ଜନ୍ମଗ୍ରହଣ କରିଥିବା ସୁଶାନ୍ତଙ୍କ ଏଭଳି ଅକାଳ ବିୟୋଗରେ ଚଳଚ୍ଚିତ୍ରଠାରୁ ରାଜନୀତି ଓ କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଶୋକର ଛାୟା ଖେଳିଯାଇଛି । ଖୁବ୍‌ କମ୍‌ ଦିନ ମଧ୍ୟରେ ବଲିଉଡ୍‌ରେ ଯଥେଷ୍ଟ ନାଁ କମାଇଥିବା ସୁଶାନ୍ତ ଗତ ୬ ମାସ ଧରି ସାଂଘାତିକ ଅବସାଦ ମଧ୍ୟରେ ଥିଲେ ବୋଲି ବନ୍ଧୁମାନେ ପୁଲିସକୁ କହିଛନ୍ତି । କିନ୍ତୁ କ’ଣ ପାଇଁ ସେ ଏଭଳି ଅବସାଦ ମଧ୍ୟରେ ରହୁଥିଲେ, ତାହା କାହାକୁ ସ୍ପଷ୍ଟ ଭାବେ ଜଣାନାହିଁ । ୫ ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ୨୮ ବର୍ଷୀୟା ଦିଶା ସାଲିଆଁ ଏକ ସୁଉଚ୍ଚ ପ୍ରାସାଦରୁ ପଡ଼ି ପ୍ରାଣ ହରାଇଥିଲେ । ସେ ମଧ୍ୟ ଅବସାଦରେ ଥିଲେ । ତାଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ପୁଲିସ ଏବେ ବି ତଦନ୍ତ ଜାରି ରଖିଛି । ଦିଶାଙ୍କ ପରଲୋକ ପରେ ସୁଶାନ୍ତ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଆହୁରି ମଧ୍ୟ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ନିର୍ବନ୍ଧ କିଛିଦିନ ତଳେ ହୋଇଥିବା କୁହାଯାଉଛି । ଏହାକୁ ସୁଶାନ୍ତଙ୍କ ଆତ୍ମହତ୍ୟା ସହ କେହି କେହି ଯୋଡୁଛନ୍ତି । ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ରେ ସୁଶାନ୍ତ ଓ ଅଙ୍କିତା ଅଭିନୟ କରିବା ପରେ ପରସ୍ପରର ବେଶ୍‌ ନିକଟତର ହୋଇଥିଲେ । ଏମିତି କି ଉଭୟ ବିବାହ କରିବେ ବୋଲି ଖବର ଥିଲା । କିନ୍ତୁ ପରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା । କିଛିଦିନ ତଳେ ବୟଫ୍ରେଣ୍ଡ ଭିକି ଜୈନଙ୍କ ସହ ଅଙ୍କିତାଙ୍କର ନିର୍ବନ୍ଧ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *