ପାରାଦୀପଠାରୁ ୯୯୦ କିଲୋମିଟର ଦୂରରେ ‘ଅମ୍ଫାନ୍’, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା
ଭୁବନେଶ୍ବର:-ବାତ୍ୟା ରୂପ ନେବା ପରେ ସ୍ଥଳଭାଗ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ଅମ୍ଫାନ’ । ତେବେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପଠାରୁ ୯୯୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ତେବେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତର ସାଗର ଦ୍ବୀପ ଏବଂ ହାତିୟା ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ।
ତେବେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ତୀବ୍ରତା ଗତବର୍ଷ ମେ’ ମାସରେ ଯାଇଥିବା ‘ଫନି’ ବାତ୍ୟାଠାରୁ କମ୍ ରହିବ ବୋଲି ଆକଳନ କରାଯାଉଛି । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ହୋଇପାରେ । ତେବେ ବାତ୍ୟାର ପରିଧି ୫୦୦ କିଲୋମିଟର ପରିବ୍ୟାପ୍ତ ହୋଇଥିବା ବେଳେ ଏହାର କୋର୍ ଅଞ୍ଚଳଟି ୧୦୦କିଲୋମିଟର ପରିବ୍ୟାପ୍ତ ଥାଏ । ଅର୍ଥାତ୍ ଏହା ଓଡିଶା ଉପକୂଳକୁ ନଛୁଇଁଲେ ମଧ୍ୟ ସାମୁଦ୍ରିକ ଝଡ ‘ଅମ୍ଫାନ’ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାର ସମ୍ଭାବନା ରହିଛି । ୧୮ତାରିଖରୁ ଉତ୍ତର ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୯ରେ ବର୍ଷା ସହିତ ବଢିବ ପବନ ।
୧୯ ତାରିଖ ସଂଧ୍ୟା ବେଳକୁ ପବନର ବେଗ ୭୫ରୁ ୮୫ କିଲୋମିଟର ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡିଶାର ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।