ହସ୍ପିଟାଲରୁ ନିଖୋଜ ଥିଲେ ୮୨ ବର୍ଷୀୟା କରୋନା ରୋଗୀ, ଆଠ ଦିନ ପରେ ଶୌଚାଳୟରୁ ମିଳିଲା ମୃତଦେହ

ମହାରାଷ୍ଟ୍ର:-ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜୁନ୍ ୯ ତାରିଖରେ ଜଣେ ୮୨ ବର୍ଷୀୟା ମହିଳା ଜାଲଗାଓଁ ସିଭିଲ୍ ହସ୍ପିଟାଲରୁ ନିଖୋଜ ହୋଇଯାଇଥିଲେ। ବୁଧବାର ତାଙ୍କ ମୃତଦେହ ଡାକ୍ତରଖାନାର ଶୌଚାଳୟ ଭିତରୁ ମିଳିଛି। ପାଞ୍ଚଜଣ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନ ଏକ ରିପୋର୍ଟ ଦାଖଲ କରିଛି। ଏଥିରେ ଡିନ ଏବଂ ଡାକ୍ତରୀ ଅଧୀକ୍ଷକ ମଧ୍ୟ ଅଛନ୍ତି। ଏହି ପ୍ରସଙ୍ଗରେ ପୋଲିସ କହିଛି, ହସ୍ପିଟାଲରୁ ତାଙ୍କ ନିଖୋଜ ହେବାର ଅଭିଯୋଗ ଆମେ ପାଇଥିଲୁ। ଆମେ ଏହି ଘଟଣାର ଅଧିକ ଅନୁସନ୍ଧାନ କରୁଛୁ। ‘

ମୃତକଙ୍କ ନାଁ ମାଲାତି ନେହେଟେ ବୋଲି ଜଣାପଡିଛି। ମାଲାତିଙ୍କ ନାତି ହର୍ଷଲ ନେହେଟେଙ୍କ କହିବାନୁଯାୟୀ, ପରିବାର ସଦସ୍ୟ କୋଭିଡ -୧୯ ସଂକ୍ରମିତ ହୋଇଥିବାରୁ ତାଙ୍କୁ ମଇ ୨୦ରେ ବାବାସାହେବ ଆମ୍ବେଦକର ଭାସ୍ତି ଗ୍ରିହାରେ ଭର୍ତ୍ତି କରାଯାଇଥିଲା। ମଇ ୨୨ରେ କରୋନା ପରିକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ମଇ ୨୮ରେ ଭୁବସାଲ ରେଳ ଡାକ୍ତରଖାନାକୁ ନିଆଯାଇଥିଲା।

ହର୍ଷଲ କହିଛନ୍ତି ଯେ ଜୁନ୍ ୧ରେ ତାଙ୍କୁ ଭୱାସାଲ ରେଳ ହସ୍ପିଟାଲରୁ ଜାଲଗାଓଁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ସପ୍ତମ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୨ରେ ହସ୍ପିଟାଲରେ ଏକ ଫୋନ୍ କଲରୁ ଜଣାପଡିଛି ଯେ, ତାଙ୍କ ଜେଜେ ମା ଅପରାହ୍ନ ଚାରିଟାରୁ ନିଖୋଜ ଥିଲେ। ପରଦିନ ଡାକ୍ତରଖାନାର ଅଧିକାରୀମାନେ ଆମକୁ କହିଥିଲେ ଯେ ସେମାନେ ଜେଜେମାଙ୍କୁ ପାଇଛନ୍ତି ଏବଂ ନଅ ନମ୍ବର ୱାର୍ଡରେ ଭର୍ତ୍ତି କରାଯାଇଛି। ଜୁନ୍ ୫ତାରିଖରେ ହସ୍ପିଟାଲରୁ କୁହାଯାଇଥିଲା କି ଜୁନ୍ ୨ରୁ ଜେଜେମା ନିଖୋଜ ଥିଲେ । ଏହା ପରେ ଆମେ ଜିଲ୍ଲା ପେଥ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲୁ । ଏହା ପରେ ପୋଲିସ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲା।

ହର୍ଷଲ ନେହେଟେ କହିଛନ୍ତି, ଡାକ୍ତରଖାନାର ବାଥରୁମରୁ ଜେଜେମା’ଙ୍କ ମୃତଦେହ ମିଳିଥିବାର ବୁଧବାର ଦିନ ପୋଲିସ ଆମକୁ ସୂଚନା ଦେଇଥିଲା। ଏହା ଗୁରୁତର ଅବହେଳା । ମୁଁ ଏଥିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Leave a Reply

Your email address will not be published. Required fields are marked *