କାଲି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ସେମାନଙ୍କରର ଏକ କର୍ମଶାଳାରେ ଯୋଗ ଦେଇ ନବୀନ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିବେ। ଭିଡିଓ କନ୍‌ଫରେନସିଂ ଜରିଆରେ ସେ ଏହି କର୍ମଶାଳାରେ ଯୋଗ ଦେବେ।

କାଲି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ଏହି କର୍ମଶାଳା ଆୟୋଜନ କରାଯାଉଛି।

ଡାକ୍ତର, ନର୍ସଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ବାହାରିଥିବା ସୁରକ୍ଷାର ସବୁ ନିୟମ ଓ ଏହାର ପାଳନ ସଂପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯିବ। ସବୁ ଜିଲ୍ଲାର ସିଡିଏମ୍ଓ, ମେଡିକାଲ କଲେଜର କର୍ମଚାରୀ, କୋଭିଡ୍ ହସ୍ପିଟାଲର ଅଧିକାରୀ ଏହି କର୍ମଶାଳାରେ ଯୋଗ ଦେବେ।

କରୋନା ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା, ଯେମିତିକି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ସରପଞ୍ଚ, ଶିକ୍ଷକ ଓ ପୋଲିସ୍ କର୍ମଚାରୀ ବି ଏହି ମହାମାରୀରେ ନିୟମିତ ଆକ୍ରାନ୍ତ ହେଉଛନ୍ତି। ଆଜି ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସିନିୟର ରେସିଡେଣ୍ଟ ଡାକ୍ତର ଓ ଜଣେ ଜୁନିୟର ଡାକ୍ତର ଅଛନ୍ତି।

ସେହିପରି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ୪ ଜଣ ଡାକ୍ତର ଓ ୮ ଜଣ ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ପ୍ରାୟ ୩୦ ଜଣ ଡାକ୍ତର ଓ ୧୦ ଜଣ ନର୍ସ ଆସିଥିବା କୁହାଯାଉଛି।

ଏହାପରେ ମେଡିକାଲ୍‌ର ସମସ୍ତ ଓ୍ୱାର୍ଡ, ଇନ୍‌ଡୋର୍ ଓ ଆଉଟ୍‌ଡୋରର୍କୁ ସାନିଟାଇଜ୍ କରାଯାଇଛି। ସେହିପରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ ପଜିଟିଭ୍‌ ଚିହ୍ନଟ ହେବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି।

Leave a Reply

Your email address will not be published. Required fields are marked *