ବିଜେପିର ଭର୍ଚୁଆଲ ରାଲିରେ ଓଡିଶାବାସୀଙ୍କୁ ଅମିତ ଶାହାଙ୍କ ସମ୍ବୋଧନ,ରାହୁଲଙ୍କ ଉପରେ ବର୍ଷିଲେ , ନବୀନଙ୍କ ବିରୋଧରେ ନରମିଲେ

ଭୁବନେଶ୍ୱର:-ବିଜେପି ନେତା, ଭୂତାଣୁର ଏହି ଭୟ ଭିତରେ ଭର୍ଚୁଆଲ୍ ରାଲିର ଆୟୋଜନ କରି, ଦିଲ୍ଲୀରୁ ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସରକାରଙ୍କ ୬ ବର୍ଷର ହିସାବ ଦେଇ, ମୋଦି ସରକାର ଓଡିଶାକୁ ସବୁଠାରୁ ବେଶି ସାହାଯ୍ୟ ଦେଇଥିବା କହିଛନ୍ତି । କରୋନା ମୁକାବିଲାରେ କେନ୍ଦ୍ର ସରକାର ଖୁବ୍ ଭଲ ଲଢେଇ ଲଢିଥିବାରୁ ଭାରତ ସ୍ଥିତି ଏବେ ଖୁବ୍ ଭଲ ଅଛି ବୋଲି କହିଛନ୍ତି ଶାହା । ମହାମାରୀ ମୁକାବିଲାରେ ଜନତା କର୍ଫ୍ୟୁ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ଶାହା ।

ଭର୍ଚୁଆଲ ରାଲିରେ ଓଡ଼ିଶାର ବିଜେପି କର୍ମର୍କର୍ତ୍ତା ଓ ଓଡ଼ିଶାବାସୀଙ୍କୁ ଉଦବୋଧନ ଦେଇ ମୋଦୀ ସରକାରଙ୍କ ୬ ବର୍ଷର ହିସାବ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ହିସାବ କିତାବ ଭିତରେ କରୋନା ସହ ମୁକାବିଲାରେ ଦେଶର ସଫଳତା ବଖାଣିଛନ୍ତି ଅମିତ ଶାହା ।ପ୍ରଧାନମନ୍ତ୍ରୀ ଜନତା କର୍ଫୁ ଘୋଷଣା କରିବା ପରେ କିପରି ଏହି ମୁକାବିଲାରେ ଏକତାର ସୂତ୍ରରେ ବାନ୍ଧି ହୋଇ ଯାଇଥିଲା, ତା’ର ଉଦାହରଣ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ତେବେ କରୋନା ମୁକାବିଲାରେ ପ୍ରବାସୀମାନଙ୍କ ଦୁଃଖଦୁର୍ଦ୍ଦଶା କଥା କହିବା ସମୟରେ ସରକାରଙ୍କ ତ୍ରୁଟିକୁ ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି ଅମିତ ଶାହା ।

କରୋନା ମୁକାବିଲାରେ ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହ ଅମିତ ଶାହା କହିଛନ୍ତି ଗତ ୬ ବର୍ଷରେ ମୋଦି ସରକାର ଯାହା କରିଛନ୍ତି, ତାହା ଅନ୍ୟ କୌଣସି ସରକାର ବର୍ଷ ବର୍ଷର ଶାସନ ପରେ ବି ଗରିବ, ଅବହେଳିତ ବର୍ଗଙ୍କ ପାଇଁ କରିପାରିନାହାନ୍ତି ।

ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କରିବାକୁ ଆହ୍ୱାନ ଦେଇଛନ୍ତି ଅମିତ ଶାହା । ସେ କହିଛନ୍ତି, ଓଡ଼ିଶାରେ ଏବେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି ବିଜେପି । ଆଉ ତାଙ୍କର ଏହି ଅଧା କାମକୁ ପୂରଣ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ତେବେ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିବା ବେଳେ ନବୀନ ସରକାରଙ୍କ ବିରୋଧରେ ପଦଟିଏ ବି କହିନଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେଡି ସରକାରଙ୍କୁ ସିଧାସଳଖ ଆକ୍ଷେପ କରିନଥିଲେ । ତେବେ ମୋଦି ସରକାର କିପରି ରାଜ୍ୟର ବିକାଶ ପାଇଁ କାମ କରୁଛି, ତାର ହିସାବ ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅମ୍ଫାନ ବାତ୍ୟା ପରେ କିପରି ଛୁଟିଦିନରେ ସହାୟତାର ୫୦୦ କୋଟି ଓଡ଼ିଶାର ଟ୍ରେଜେରୀକୁ ପଠାଯାଇଥିଲା, ତାହା ଓଡ଼ିଶାବାସୀଙ୍କ ଆଗରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave a Reply

Your email address will not be published. Required fields are marked *