ଫୋନିଠୁ ସାନ ବାତ୍ୟା ‘ଅମ୍ଫାନ୍‌’ !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ଅର୍ଥାତ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ଏହାର ନାଁ ‘ଅମ୍ଫାନ୍‌’ ରଖାଯିବ।

ପ୍ରଥମେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ମେ’ ୧୮ରୁ ଏହାର ଦିଗରେ ପରିବର୍ତ୍ତନ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର, ଉତ୍ତର-ପୂର୍ବରେ ଦିଗରେ ଗତି କରିବ। ୨୦ ତାରିଖ ସକାଳେ ଏହା ପଶ୍ଚିମବଙ୍ଗ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳ ଅର୍ଥାତ୍‌ ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।  

ଏହାର ପ୍ରଭାବରେ ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମେ’ ୧୯ରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ମେ’ ୧୯ ତାରିଖ ସକାଳୁ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫-୫୫ କି.ମି. ବେଗରେ ପବନ  ବହିପାରେ। ଉତ୍ତର ଓଡ଼ିଶା ଉପକୂଳରେ ମେ’ ୧୯ ସନ୍ଧ୍ୟାରୁ ପବନର ବେଗ ବଢ଼ି ଘଣ୍ଟା ପ୍ରତି ୭୫-୮୫ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।

ଅମ୍ପାନ୍ ଯେତେବେଳେ ଉପକୂଳ ଅତିକ୍ରମ କରିବ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କି.ମି. ରହିପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଅନୁମାନ କରାଯାଉଛି ଯେ, ବାତ୍ୟା ‘ଅମ୍ଫାନ୍’ ଯେତେବେଳେ ଉପକୂଳ ଅତିକ୍ରମ କରିବ ଏହାର ତୀବ୍ରତା ଫୋନି ଠାରୁ କମ୍‌ ରହିବ। କିନ୍ତୁ ‘ବୁଲ୍‌ବୁଲ୍‌’ ଠାରୁ ଏହାର(‘ଅମ୍ଫାନ୍‌’) ତୀବ୍ରତା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ କହିଛନ୍ତି। 

Leave a Reply

Your email address will not be published. Required fields are marked *