ଆମେରିକା ଘଟଣାର ରାଜସ୍ଥାନରେ ପୁନରାବୃତ୍ତି,ମାସ୍କ ନପିନ୍ଧିବାରୁ ତଣ୍ଟିକୁ ଆଣ୍ଠୁରେ ଜାବୁଡ଼ି ଧରିଲା ପୁଲିସ!
ଜୟପୁର: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ଗୋଡ଼ରେ ଯାକି ମାରିବା ଘଟଣା ପରେ ଅଶାନ୍ତ ହୋଇ ପଡ଼ିଛି ଆମେରିକା। ଏବେ ପୁଲିସର ସମାନ କାର୍ଯ୍ୟାନୁଷ୍ଠାନ ଭାରତରେ ଦେଖିବାକୁ ମିଳିଛି। ରାଜସ୍ଥାନ ଯୋଧପୁରର ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବାରୁ କନଷ୍ଟେବଳ ଜଣଙ୍କ ତାଙ୍କ ବେକକୁ ଆଣ୍ଠୁରେ ଜାବୁଡ଼ି ରଖି ଦଣ୍ଡିତ କରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।ତେବେ କନଷ୍ଟେବଳ ଜଣଙ୍କ ଏପରି କରିଥିବାର କାରଣ କହିଛନ୍ତି ଯୋଧପୁର ଡିସିପି ପ୍ରୀତି ଚନ୍ଦ୍ରା। ସେ କହିଛନ୍ତି, ଯୁବକ ଜଣଙ୍କ ଆକ୍ରମଣ କରିବାରୁ ଦୁଇ କନଷ୍ଟେବଳ ଜଣ ନିଜ ସୁରକ୍ଷା ପାଇଁ ଏଭଳି କରିଛନ୍ତି। ଯୁବକଙ୍କ ନାମ ମୁକେଶ କୁମାର ପ୍ରଜାପତ ବୋଲି ଜଣାପଡ଼ିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା। ରାଜସ୍ଥାନ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।
ପୁଲିସ୍ ଅଭିଯୋଗ କରିଛି ଯେ ଆଇନ ଉଲ୍ଲଂଘନ ପାଇଁ ସେମାନେ ଯେତେବେଳେ ମୁହାଁମୁହିଁ ହୋଇଥିଲେ ସେତେବେଳେ ପ୍ରଜାପତ ସେମାନଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରି ଦେଇଥିଲେ। ମାସ୍କ ପିନ୍ଧିନଥିବାରୁ କନେଷ୍ଟବଳ ଜଣଙ୍କ ପ୍ରଥମେ ଯୁବକଙ୍କ ଫଟୋ ଉଠାଇଥିଲେ। ଏହାପରେ ଜିପ୍ ମଗାଇଥିଲେ ସେମାନେ। ଏହାରି ଭିତରେ ଯୁବକ ଜଣଙ୍କ କନଷ୍ଟେବଳକୁ ଚାପୁଡ଼ା ମାରିବାରୁ ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିଲେ ବୋଲି ଡିସିପି କହିଛନ୍ତି। ଲୋକଙ୍କ ଆଗରେ ପୁଲିସ ମାଡ଼ ଖାଇଲେ ସମାଜ ପାଇଁ ନିନ୍ଦା କରିବ। ପୁଲିସ ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନିଏ ବୋଲି ଡିସିପି କହିଛନ୍ତି।
ତେବେ ରାଜସ୍ଥାନ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।