ଶାକାହାରୀ ହୋଇ ହାଲ୍କା ଅନୁଭବ କରୁଛନ୍ତି ରାକୁଲପ୍ରିତ
ମୁମ୍ବାଇ :-‘ଦେ ଦେ ପ୍ୟାର ଦେ’, ‘ୟାରିୟାଁ’, ‘ମରଜାୱାଁ’ ଭଳି ହିନ୍ଦୀ ଫିଲ୍ମ ମାଧ୍ୟମରେ ଅନେକ ସଫଳତା ସାଉଁଟିଛନ୍ତି ଅଭିନେତ୍ରୀ ରାକୁଲପ୍ରିତ ସିଂହ । ଏବେ ସେ ତାଙ୍କର ଶାକାହାରୀ ହେବାର ଅନୁଭବକୁ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି ।ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି, ବହୁତ ଚିନ୍ତା କରି ଚଳିତ ବର୍ଷ ଆରମ୍ଭରେ ଏହି ସିଦ୍ଧାନ୍ତ ନେଇଥିଲି । ଶାକାହାରୀ ପାଲଟିବା ପରେ ଖୁବ୍ ଖୁସି ଅଛି । ନିଜକୁ ଅଧିକ ହାଲ୍କା ଅନୁଭବ କରୁଛି । ମୋର ସ୍ଫୁର୍ତ୍ତି ସର୍ବୋଚ୍ଚ ଶିଖରରେ ରହିଛି । ଆମିଷ ପରିତ୍ୟାଗ ନ କଲା ଯାଏ ଏହାକୁ ବୁଝିନଥିଲି । ଏହା ଏକ ଚମତ୍କାର ଅନୁଭବ। ପରିବେଶ ଓ ଜୀବଜନ୍ତୁଙ୍କ ପାଇଁ ଏହା ମଙ୍ଗଳକାରୀ ବୋଲି ସେ ବ୍ୟକ୍ତ କରିଛନ୍ତି ।ସେହିପରି ପ୍ରଶଂସକମାନଙ୍କୁ ମାତ୍ର ୧୫-୨୦ ଦିନ ଆମିଷ ଛାଡ଼ି ଏହାକୁ ଅନୁଭବ କରିବା ଲାଗି ସେ ନିବେଦନ କରିଛନ୍ତି । ଅନ୍ୟପଟେ ରାକୁଲପ୍ରିତଙ୍କୁ ପିପୁଲ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା)ର ଏକ ନୂଆ ବିଜ୍ଞାପନରେ ବି ଦେଖାଯାଉଛି ।ସେଥିରେ ସେ ପ୍ରଶଂସକମାନଙ୍କୁ ଶାକାହାରୀ ହେବାକୁ ପ୍ରୋତ୍ସାହିତ କରୁଛନ୍ତି । ସୂଚନାଥାଉ କି, ରାକୁଲପ୍ରିତ ବହୁ ତେଲୁଗୁ, ତାମିଲ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଛନ୍ତି ।