ଗୋଷ୍ଠୀ ସଂକ୍ରମଣ ବିପଦର ଦ୍ୱାରଦେଶରେ ରାଜ୍ୟ, ସତର୍କ କଲେ ବିଶେଷଜ୍ଞ

ଭୁବନେଶ୍ୱର: :- ରାଜ୍ୟର କରୋନା ସ୍ଥିତିକୁ ନେଇ ଏବେ ଆଶଙ୍କା ବଢିବାରେ ଲାଗିଛି । କେନ୍ଦ୍ର ସରକାର ନିୟମ କୋହଳ କରିଥିବାବେଳେ ରାଜ୍ୟ ସରକାର କିଛିଟା ଅଧିକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହିତ ମାମଲା ଅଦାଲତରେ ପହଞ୍ଚିଛି । ଯେଉଁ ହାରରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, ତାହାକୁ ନେଇ ବିଶେଷଜ୍ଞମାନେ ବି ଆଗକୁ ଆସୁଥିବା ସ୍ଥିତି ବେକାବୁ ହେବାକୁ ନେଇ ଆଶଙ୍କା ବ୍ୟକ୍ତ କଲେଣି । ବର୍ତ୍ତମାନ ସମୟରେ ଯଦି ଆବଶ୍ୟକ ପଦକ୍ଷେପ ଆଉ ସତର୍କତା ଗ୍ରହଣ କରା ନଯାଏ ତେବେ ଗୋଷ୍ଠୀ ସଂକ୍ରମଣକୁ ଏଡାଇ ହେବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବିର ପୂବର୍ତନ ଡିନ୍ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କ କହିବା ଅନୁଯାୟୀ କରୋନା ଗୋଷ୍ଠୀ ସଂକ୍ରମଣର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ଯଦି କୌଣସି ଜଣାଶୁଣା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନ ଥାଇ ବି କରୋନାରେ ସଂକ୍ରମିତ ହେବା । ଯେଉଁ ସ୍ଥାନରେ କୋଭିଡ୍‌ ସଂକ୍ରମଣ ବହୁତ ଅଧିକ, ସେହି ସ୍ଥାନରୁ ଆସି ନଥାଇ ବି କରୋନାରେ ସଂକ୍ରମିତ ହେବା । ଏହାବ୍ୟତୀତ ଲକ୍ଷଣ ନଥିବା ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଯଦି କେହି କରୋନା ସଂକ୍ରମିତ ହୁଅନ୍ତି ତେବେ ତାହାକୁ ବି ଗୋଷ୍ଠୀ ସଂକ୍ରମଣ କୁହାଯିବ। ରାଜ୍ୟରେ ଶତକଡା ୯୦ ପ୍ରତିଶତ କୋଭିଡ୍‌ ଆକ୍ରାନ୍ତ ହେଉଛନ୍ତି ପ୍ରବାସୀ ।ସେମାନେ ଭାରତର ବିଭିନ୍ନ ପ୍ରାନ୍ତରୁ ଓ ବିଦେଶରୁ ଆସିଛନ୍ତି। ଏହାବ୍ୟତିତ କେତେଜଣ ସ୍ବାସ୍ଥ୍ୟକର୍ମୀ, ଅଙ୍ଗବାଡି କର୍ମୀ, ଆଶା କର୍ମୀ ଏବେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନେ ହୁଏତ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି। ଏମାନଙ୍କୁ ବାଦ୍‌ଦେଲେ ଯଦି ଅନ୍ୟ କେହି ସଂକ୍ରମିତ ହୋଇଥାନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜରୁରୀ। ଯଦି କଣ୍ଟାକ୍ଟ ଟ୍ରେସିଂରେ କେହି ନମିଳନ୍ତି ତାହେଲେ ସେଭଳି କ୍ଷେତ୍ରରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି। ଭାରତରେ ଯେଉଁଭଳି ଭାବେ ପ୍ରତିଦିନ ‌ଆକ୍ରାନ୍ତଙ୍କ ସଂଖ୍ୟା‌ ବଢୁଛି ସେଭଳି କ୍ଷେତ୍ରରେ ଆଇସିଏମ୍‌ଆର ଗୋଷ୍ଠୀ ସଂକ୍ରମଣକୁ ଅନ୍ୟ ଏକ ବାଖ୍ୟା ଦେଇ ଏହାକୁ ସରଳୀକରଣ କରିବାକୁ ଚେଷ୍ଟା କରୁଛି। ଅନ୍ୟପଟେ ଆଇସିଏମ୍‌ଆର ସଂକ୍ରମିତ ହୋଇ ନଥିବା ପ୍ରାୟ ୩୪ ହଜାର ଲୋକଙ୍କ ରକ୍ତ ନମୁନା ନେଇ କୋଭିଡ୍‌ ଆଣ୍ଟିବଡିର ମାତ୍ରା ନିର୍ଣ୍ଣୟ କରିବାକୁ ପରୀକ୍ଷା ଚଳାଇଛି। ଏହି ରିପୋର୍ଟ ଆସିବା ପରେ ଭାରତରେ ତଥା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ ତାର ଠିକ୍‌ ପ୍ରମାଣ ମିଳିବ। କିନ୍ତୁ ବର୍ତ୍ତମାନଠାରୁ ରାଜ୍ୟରେ ଅଧିକ ସତର୍କତା ଜରୁରୀ ବୋଲି ଡାକ୍ତର ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *