ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ସବୁଠାରୁ ଆଗରେ,ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି
ଭୁବନେଶ୍ୱର:-ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଦେଶରେ ନବୀନଙ୍କ ଲୋକପ୍ରିୟତା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଢେର ଅଧିକ । ଆଇଏନଏସ ଏବଂ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସବୁଠାରୁ ଉପରେ ଅଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜୁ ଜନତା ଦଳର ସରକାର ଓଡିଶାରେ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଆସିଛି ଏପରି ତଥ୍ୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବୀନ ପଟ୍ଟନା.କ ସାନି ସର୍ଭେରେ ସବୁଠାରୁ ଲୋକପ୍ରିୟ ହେବା ପୂର୍ବରୁ ଅତୀତରେ ଅନ୍ୟ କିଛି ପ୍ରମୁଖ ଗଣମାଧ୍ୟମର ସର୍ଭେରେ ମଧ୍ୟ ଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ରାଜ୍ୟରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୦ ବର୍ଷ ଧରି ଶାସନ ଗାଦିରେ ରହିଛନ୍ତି । ତେବେ ପଞ୍ଚମ ଇନିଂସରେ ପ୍ରଥମ ବର୍ଷ ପୂରଣ ହୋଇଥିଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତିରେ ଦାଗ ଲାଗିନାହିଁ । ପୁଣିଥରେ ନବୀନ ଦେଶର ସବୁଠାରୁ ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ ହୋଇଛି ଆଇଏନଏସ-ସି ଭୋଟର ସର୍ଭେରେ । ନବୀନଙ୍କୁ ୮୨. ୯୬ ପ୍ରତିଶତ ଜନତା ପସନ୍ଦ କରିଛନ୍ତି । ଅର୍ଥାତ ୮୨.୯୬ ପ୍ରତିଶତ ରାଜ୍ୟବାସୀ ନବୀନଙ୍କ ଶାସନକୁ ନେଇ ଖୁସି ଅଛନ୍ତି । ଅର୍ଥାତ ରାଜ୍ୟବାସୀଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଅତୁଟ ରହିଛି ।
ଏହି ସର୍ଭେରେ ନବୀନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲା । ଏହାପରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଏହାପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ।
ତେବେ କମ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେଦ୍ର ସିଂ ରାଓ୍ୱତ । ସେହିପରି ତୃତୀୟରେ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏହାପଛରେ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ ପଲ୍ଲାନୀସ୍ୱାମୀ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ।
ତେବେ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ। ଏଠି ପ୍ରାୟ ୯୫.୬ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି । ଯାହାଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ଅତ୍ୟଧିକ ସନ୍ତୁଷ୍ଟ ଥିବାବେଳେ ମାତ୍ର ୨.୨ ପ୍ରତିଶତ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତାଲିକାର ଶୀର୍ଷରେ ଥିବା ଓଡ଼ିଶା ତଳକୁ ଅନ୍ୟ ୩ ଅଣବିଜେପି ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ମୋଦିଙ୍କ ଲୋକପ୍ରିୟତା ୯୩.୯୫ ପ୍ରତିଶତ ଥିବାବେଳେ ଛତିଶଗଡ଼ରେ ୯୨.୭୩ ଓ ଆନ୍ଧ୍ରରେ ୮୩.୬ ପ୍ରତିଶତ ଲୋକ ମୋଦିଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ।
ସେହିପରି ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମମତା ଦିଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ବି ବଢୁଛି ମୋଦିଙ୍କ ଲୋକପ୍ରିୟତାର ଗ୍ରାଫ୍। ମୋଦିଙ୍କ କାଯର୍ୟକଳାପରେ ଏଠି ୬୪.୦୬ ପ୍ରତିଶତ ଲୋକ ସନ୍ତୋଷ ପ୍ରକାଶ କରିବା ପରେ ଶାସକ ଟିଏମ୍ସି ତଥା ମମତା ବାନାର୍ଜୀଙ୍କ ଚିନ୍ତା ବଢିଛି।