ମନୋଜ ତିଓ୍ଵାରୀଙ୍କ ଛୁଟି, ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂତନ ସଭାପତି
ନୂଆଦିଲ୍ଲୀ:-ଭାରତୀୟ ଜନତା ପାର୍ଟି(ବିଜେପି) ସଂଗଠନରେ ବଡ ପରିବର୍ତ୍ତନ କରିଛି। ଏଥିରେ ଦିଲ୍ଲୀ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀଙ୍କୁ ଲାଗିଛି ବଡ ଝଟକା। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମନୋଜ ତିଓ୍ଵାରୀଙ୍କୁ ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ପଦରୁ ହଟାଇ ଆଦେଶ ଗୁପ୍ତାଙ୍କୁ ନୂତନ ସଭାପତି କରିଛନ୍ତି। ଏହା ସହିତ ଛତିଶଗଡ ରାଜ୍ୟ ବିଜେପି ସଭାପତି ପଦରେ ବିଷ୍ଣୁଦେବ ସାୟଙ୍କୁ ନିଯୁକ୍ତ କରାଯାଇଛି। ମନୋଜ ତିଓ୍ଵାରୀଙ୍କୁ ପଦରୁ କଣ ପାଇଁ ହଟାଗଲା ଏହା ପଛର କାରଣ ସ୍ପଷ୍ଟ ହୋଇ ନାହିଁ। ଏହି ବିଷୟରେ ପାର୍ଟି ମହାସଚିବ ଅରୁଣ ସିଂହଙ୍କ ପକ୍ଷରୁ ଆନୁଷ୍ଠାନିକ ପତ୍ର ଜାରି କରାଯାଇଛି।
ମଣିପୁରରେ ମଧ୍ୟ ନୂତନ ରାଜ୍ୟ ସଭାପତି ନିଯୁକ୍ତ କରାଯାଇଛି। ଏସ ଟିକେନ୍ଦ୍ର ସିଂହଙ୍କୁ ମଣିପୁର ବିଜେପି ସଭାପତି ଦାୟିତ୍ଵ ଦିଆଯାଇଛି। ତିନୋଟି ରାଜ୍ୟ ସଭାପତିଙ୍କ ଘୋଷଣା ପାର୍ଟି ସଭାପତି ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ କରାଯାଇଛି।
କିଏ ଆଦେଶ ଗୁପ୍ତା
ମନୋଜ ତିଓ୍ଵାରୀଙ୍କୁ ହଟାଇ ବିଜେପି ଯାହାଙ୍କୁ ଦିଲ୍ଲୀର ରାଜ୍ୟ ସଭାପତି କରାଯାଇଛି ତାଙ୍କର ନାମ ଆଦେଶ ଗୁପ୍ତା। ଆଦେଶ ଗୁପ୍ତା ଏକ ବର୍ଷ ପୂର୍ବେ ନର୍ଥ ଏମସିଡିର ମେୟର ରହିଥିଲେ। କୁହାଯାଉଛି ବିଜେପି ତାଙ୍କ ଚେହେରାକୁ କାରବାରୀଙ୍କୁ ସନ୍ତୁଷ୍ଟ କରିବାକୁ ଆଗକୁ ଆଣିଛି। ମନୋଜ ତିଓ୍ଵାରୀଙ୍କୁ ହଟାଇ ବିଜେପି ଦିଲ୍ଲୀ ଲୋକଙ୍କ ସହିତ ଜଡିତ ନେତାଙ୍କୁ ସଭାପତି କରିଛି। ଦିଲ୍ଲୀ ଲୋକଙ୍କୁ ସଭାପତି କରିବାକୁ ବହୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଗୋଟିଏ ସମୟ ଥିଲା ଆଦେଶ ଗୁପ୍ତା ଟ୍ୟୁସନ୍ ପଢାଇ ନିଜର ଘର ଚଳାଉଥିଲେ।