ଆରବ ସାଗରରେ ବାତ୍ୟା ନିସର୍ଗ ମହାରାଷ୍ଟ୍ର-ଗୁଜରାଟ ମୁହାଁ : ଦୁଇ ରାଜ୍ୟରେ ରେଡ ଆଲର୍ଟ

ଗୁଜରାଟ:-ଆରବ ସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତ ହୋଇ ରହିଛି । ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଆକାରରେ ସ୍ଥଳ ଭାଗ ଆଡକୁ ମୁହାଁଇବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ନିସର୍ଗ ଜୁନ୍ ୩ତାରିଖରେ ମହାରାଷ୍ଟ୍ର ଓ ଗୁଜରାଟର ମଧ୍ୟଭାଗରେ ସ୍ଥଳଭାଗ ଛୁଇଁପାରେ । ଏଥିପାଇଁ ମହାରାଷ୍ଟ୍ର ଓ ଗୁଜରାଟକୁ ଆଲର୍ଟ ଜାରି କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ଆଜି କହିଛି ଯେ ସାମୁଦ୍ରିକ ବାତ୍ୟା ନିସର୍ଗ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ନିସର୍ଗ ବର୍ତ୍ତମାନ ଆରବ ସାଗର ଉପରେ  ୧୧ କିଲୋମିଟର ବେଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ପଞ୍ଜିମ (ଗୋଆ)ର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ୨୮୦ କିଲୋମିଟର ଦୂରରେ ରହିଛି। ସେହିପରି  ମୁମ୍ବାଇ (ମହାରାଷ୍ଟ୍ର) ର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର  ଏବଂ ସୁରଟ (ଗୁଜୁରାଟ) ର ଦକ୍ଷିଣ-ପଶ୍ଚିମ ଦିଗରେ ୭୧୦ କିଲୋମିଟର ଦୂରରେ ଗତି କରୁଛି।ଆସନ୍ତା ୬ ଘଣ୍ଟା ମଧ୍ୟରେ  ଉତ୍ତର ଦିଗକୁ ଗତି କରି ଏବଂ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରି  ବାତ୍ୟା ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳ ଦେଇ ହରିହରେଶ୍ୱର (ମହାରାଷ୍ଟ୍ରର ରାଇଗଡରେ) ଏବଂ ଦାମନ ମଧ୍ୟରେ ଜୁନ୍ ୩ ଅପରାହ୍ନରେ ଅତିକ୍ରମ କରିବ। ଏହି ବାତ୍ୟା ସମୟରେ  ୯୦ରୁ ୧୦୦  କିଲୋମିଟର ବେଗରେ ପବନ ବହିପାରେ | ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୫ରୁ ୧୧୫ କିଲୋମିଟର ରହିବ। ଏହି ବେଗ ୧୨୫  କିଲୋମିଟର  ବି ପହଞ୍ଚିପାରେ ବୋଲି ଆକଳନ କରାଯାଉଛି |  ନିସର୍ଗ ପ୍ରଭାବରେ  ମୁମ୍ବାଇର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ ଏବଂ ବହୁ  ଗଛ ଓ  ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପାରେ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ ଏବଂ କେରଳ ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ  ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *