ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଧିକାରୀ

କଣାସ:-ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି କଣାସ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ସାଗର କୁମାର ସାମଲ ।

ପ୍ରକାଶ ଯେ, ଗତ ଫୋନି ବାତ୍ୟାରେ ଗଡ଼ଖାରଦ ପଞ୍ଚାୟତ କାଙ୍କପୁର ଗ୍ରାମର ବିପିନ କୁମାର ମଙ୍ଗରାଜଙ୍କ କୁକୁଡ଼ା ଫାର୍ମ କ୍ଷତିଗ୍ରସ୍ତ ହେବା ସହ କୁକୁଡ଼ା ସବୁ ମରି ଯାଇଥିଲେ । ସେ ଏ ବାବଦରେ ସରକାରୀ ସହାୟତା ପାଇବା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବେଦନ କରିଥିଲେ । ବିପିନଙ୍କ ଆବେଦନ ଅନୁଯାୟୀ ତାଙ୍କୁ ୧ଲକ୍ଷ ୭୦ହଜାର ଟଙ୍କା ସହାୟତା ମିଳିବ ବୋଲି ସାମଲ ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ସେ ଅଗ୍ରୀମ ୨୦ହଜାର ଟଙ୍କା ଲାଞ୍ଚ ମଧ୍ୟ ନେଇଥିଲେ ।
ଇତିମଧ୍ୟରେ ଫୋନି ବାତ୍ୟାକୁ ବର୍ଷେ ପୂରିଥିଲେ ହେଁ ବିପିନଙ୍କୁ କୌଣସି ସହାୟତା ମିଳିନଥିଲା । ଅପରପକ୍ଷରେ ସାମଲ ତାଙ୍କୁ ଆହୁରି ୧୦ହଜାର ଟଙ୍କା ମାଗିଥିଲେ । ବିପିନ ନିରାଶ ହୋଇ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଧିକାରୀଙ୍କୁ ସବୁକଥା କହିଥିଲେ ।

ଯୋଜନା ମୁତାବକ ସୋମବାର ପୂର୍ବାହ୍ନରେ ଅଧିକାରୀମାନେ କଣାସରେ ପହଞ୍ଚି ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଛକି ରହିଥିଲେ । ବିପିନଙ୍କ ସହିତ ଅନ୍ୟ ୨ ଅଧିକାରୀ ଭିତରକୁ ଯାଇଥିଲେ । ଅଧିକାରୀମାନଙ୍କ ପରାମର୍ଶ ମୁତାବକ ବିପିନ କେମିକାଲ ବୋଳା ଯାଇଥିବା ୫ ହଜାର ଟଙ୍କା ସାମଲଙ୍କୁ ଦେଇଥିଲେ ।

ସାମଲ ଟଙ୍କାକୁ ପକେଟ୍‌ରେ ରଖି ଅନ୍ୟ ଏକ କୋଠରୀକୁ ଯିବା ବେଳେ ଛକି ରହିଥିବା ଅଧିକାରୀମାନେ ତାଙ୍କୁ କାବୁ କରିନେବା ସହ ତାଙ୍କର ପକେଟ ଯାଞ୍ଚ କରିଥିଲେ । ତାଙ୍କ ପ୍ୟାଣ୍ଟ ପକେଟ ଓ ହାତ ଧୁଆଯିବାରୁ କେମିକାଲ ମିଶା ରଙ୍ଗ ପାଣି ବାହାରିଥିଲା ।

Leave a Reply

Your email address will not be published. Required fields are marked *