ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ ସହ କାନ୍ଦିଲେ ଅନ୍ତେବାସୀ
କେନ୍ଦ୍ରାପଡ଼ା:-ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ କେଉଁଠି ପ୍ରବାସୀ ମାନଙ୍କୁ ନେଇ ଅନେକ ଅଭିଯୋଗ ଆସୁଛି ତ କେଉଁଠି ଅବ୍ୟବସ୍ଥାକୁ ନେଇ । ଅର୍ଥାତ କେଉଁଠି ଅନ୍ତେବାସୀ ମାନେ ସରକାରଙ୍କ ପ୍ରତିନିଧିଙ୍କୁ ହଇରାଣ କରୁଥିବା ବେଳେ ଆଉ କେଉଁଠି ସ୍ଥାନୀୟ ପ୍ରତିନିଧି ମାନେ ପ୍ରବାସୀ ମାନଙ୍କ କଥା ଠିକ ଭାବେ ବୁଝୁନଥିବା ନେଇ ରାଜ୍ୟର ବିଭିନ୍ନ କେନ୍ଦ୍ରରୁ ଅଭିଯୋଗ ଆସୁଛି । ତେବେ ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକ ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ରରୁ ଆସିଛି ଭିନ୍ନ ଏକ ଦୃଶ୍ୟ । ଏହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋଦାବରୀଶ ବିଦ୍ୟାପୀଠର ସଙ୍ଗରୋଧ କେନ୍ଦ୍ର । ଏଠାରେ ୧୪ଦିନ ଧରି ଅନ୍ତେବାସୀ ରହିବା ପରେ ଆସିଛି ଘରକୁ ଫେରିବାର ସମୟ । କିଏ କାନ୍ଦୁଛି ତ ଆଉ କିଏ କାନ୍ଦି କାନ୍ଦି ସରପଞ୍ଚଙ୍କୁ କୁଣ୍ଢାଇ ପକାଉଛି । କେବଳ ସେତିକି ନୁହେଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ ସମସ୍ତଙ୍କ ଆଖିରେ ଲୁହ । ସମସ୍ତେ ଯେପରି ଭାବବିହ୍ୱଳ ହୋଇ ପଡିଛନ୍ତି ।ଏହି ସଙ୍ଗରୋଧ କେନ୍ଦ୍ରରେ ଦୀର୍ଘ 14 ଦିନ ହେଲା ରାଜକନିକା, ମହାକାଳପଡା, ରାଜନଗର ଅଞ୍ଚଳର 39 ଜଣ ହାଇଦ୍ରାବାଦ ଫେରନ୍ତା ରହି ଆସୁଥିଲେ । ତେବେ 14 ଦିନର ଅବଧି ପୁରିବା ପରେ ଆଜି ଘରବାହୁଡା ବେଳେ ସୃଷ୍ଟି ହୋଇଥିଲା ଅତ୍ୟନ୍ତ ଭାବମୟ ପରିବେଶ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ସରପଞ୍ଚ ପଦ୍ମାଳୟା ଧଳ ପ୍ରବାସୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେବାବେଳେ ପ୍ରବାସୀ ମାନେ କଇଁକଇଁ ହୋଇ କାନ୍ଦିଥିଲେ । ପ୍ରବାସୀ ମାନଙ୍କ ସହିତ ଆଶା କର୍ମୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷକ ମାନଙ୍କ ଆଖିରୁ ମଧ୍ୟ ଲୁହ ନିଗିଡି ପଡିଥିଲା । ସରପଞ୍ଚ ଶ୍ରୀମତୀ ଧଳ ସଙ୍ଗରୋଧରେ ରହୁଥିବା ଏକ ୭ ବର୍ଷର କୁନି ଝିଅକୁ ଧରି ଭୋଭୋ ହୋଇ କାନ୍ଦିବାର ଦୃଶ୍ୟ ସରପଞ୍ଚ ଓ ପ୍ରବାସୀ ମାନଙ୍କ ଆତ୍ମୀୟତାକୁ ବୟାନ କରିଥିଲା । ତେବେ ଆସନ୍ତୁ ଶୁଣିବା ଏ ନେଇ କଣ କହୁଛନ୍ତି ସରପଂଚ ।ଏହାପରେ ସରପଞ୍ଚ ନିଜସ୍ବ ଅର୍ଥରେ ସ୍ବତନ୍ତ୍ର ଗାଡି କରି ପ୍ରବାସୀ ମାନଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ ।










