ଚୀନ ସହ ତିକ୍ତତା ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ପ୍ରତ୍ୟାଖାନ

ନୂଆଦିଲ୍ଲୀ: ଚୀନ୍ ସହ ତିକ୍ତତାର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ଆମେରିକାର ପ୍ରସ୍ତାବ ଉପରେ ଭାରତର ପ୍ରତ୍ୟାଖ୍ୟାନ। ଭାରତ ନିଜେ ଏହାର ସମାଧାନ କରିବାକୁ ସକ୍ଷମ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅନ୍ୟ କାହାରି ହସ୍ତକ୍ଷେପ ଆବଶ୍ୟକ ନଥିବା କହିଛି।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ଲାଗି ନୂଆଦିଲ୍ଲୀ ଏବଂ ବେଜିଂ ଉଦ୍ୟମ ଜାରି ରଖିଛନ୍ତି। ଉପୁଜିଥିବା ସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ରାଷ୍ଟ୍ର ନିୟୋଜିତ। ଭାରତୀୟ ସେନା କର୍ତ୍ତବ୍ୟ ନିଷ୍ଠ ଭାବେ ଦେଶର ସାର୍ବଭୌମତ୍ୱ ବଜାୟ ରଖିବା ନେଇ କାର୍ଯ୍ୟ କରୁଛି।

ତେବେ ଯାହା ବି ପରିସ୍ଥିତି ଉପୁଜିଛି, ତାହାର ସମାଧାନ ଲାଗି ଉଭୟ ମିଲିଟାରୀ ଓ କୂଟନୈତିକ ସ୍ତରରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ୨ ଦେଶର ସେନା ମୁତୟନ ଓ ସାମରିକ ସ୍ଥିତି ମଜଭୁତକୁ ନେଇ ବିବାଦ ଦେଖା ଦେଇଥିଲା। ଏହାର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ।

ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଯୋଗୁ ଲାଗି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ରାଷ୍ଟ୍ରକୁ ପରାମର୍ଶ ଦେଇଛି ଜାତିସଂଘ। ଭାରତ ଓ ଚାଇନା ମଧ୍ୟରେ ୩୫୦୦ କିମିର ଏଲ୍‌ଏସି ରହିଛି। ଏହି ସୀମାଗୁଡ଼ିକ ଭାରତର ଲଦାଖ ଓ ଉତ୍ତର ସିକ୍କିମ ସୀମାକୁ ଲାଗି ରହିଥିବାରୁ ଚୀନ୍‌ ବାରମ୍ବାର ଏହି ସୀମାଗୁଡ଼ିକରେ ଉତ୍ତେଜନା ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *