ଲକ୍‌ଡାଉନ୍‌ ୫.୦: ମନ୍ଦିର-ମସଜିଦ୍‌ରେ ହଟିପାରେ କଟକଣା ଓ ଖୋଲିପାରେ ଜିମ୍,

ନୂଆଦିଲ୍ଲୀ:- ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଲାଗି ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ମେ ୩୧ରେ ଲକ୍‌ଡାଉନ୍‌ ୪.୦ ସମାପ୍ତ ହେବାକୁ ଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ଲକ୍‌ଡାଉନ୍‌ ୫.୦ ବିଷୟରେ ପ୍ରଧାନମନ୍ତ୍ରୀ ଶୀଘ୍ର ମନ କି ବାତ୍‌ କରି ପାରନ୍ତି। ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟରେ କରୋନା ପ୍ରଭାବିତ ୧୧ ସହରକୁ ଛାଡି ଦେଶର ବାକି ଭାଗରେ ପ୍ରତିବନ୍ଧକରୁ ଲୋକଙ୍କୁ ଆହୁରି କୋହଳ ଦିଆଯାଇପାରେ। ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଦୁଇ ସପ୍ତାହ ଲାଗୁ ହୋଇପାରେ।

ସୂତ୍ର ଅନୁଯାୟୀ, ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ୧୧ଟି ସହର ଉପରେ ହିଁ କେନ୍ଦ୍ରଭୂତ ରହିବ। ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରଟ ଓ କୋଲକାତା ସାମିଲ। ଏହି ସହରଗୁଡିକରେ ଦେଶର ମୋଟ୍‌ କରୋନା କେସ୍‌ର ୭୦ ପ୍ରତିଶତ ସଂକ୍ରମିତ ଅଛନ୍ତି। କେବଳ  ୫ ସହର ଅହମ୍ମଦାବାଦ, ଦିଲ୍ଲୀ, ପୁଣେ, କୋଲକାତା, ମୁମ୍ବାଇରେ ମୋଟ୍‌ କେସ୍‌ର ୬୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦିଆଯାଇପାରେ। ମାତ୍ର ଏଥିପାଇଁ ନିୟମ ଓ ସର୍ତ୍ତ ଲାଗୁ ରହିବ। ଧାର୍ମିକ ସ୍ଥଳରେ କୌଣସି ମେଳା କିମ୍ବା ମହୋତ୍ସବର ଆୟୋଜନ ଲାଗି ଅନୁମତି ମିଳିବ ନାହିଁ। ଏହା ସହିତ ଅଧିକ ସଂଖ୍ୟାରେ ଭିଡ ମଧ୍ୟ ହେବ ନାହିଁ।  ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ କଡାକଡି ରହିବ।

ଲକ୍‌ଡାଉନ୍‌ ୫.୦ରେ କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ସମସ୍ତ ଜୋନ୍‌ରେ ସେଲୁନ ଓ ଜିମ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିପାରେ। କିନ୍ତୁ ଏହି ପର୍ଯ୍ୟାୟରେ କୌଣସି ସ୍କୁଲ,କଲେଜ-ବିଶ୍ଵ ବିଦ୍ୟାଳୟ ଖୋଲିବାକୁ ଅନୁମତି ମିଳିନପାରେ। ଏଥିସହ ମଲ୍‌ ଓ ମଲ୍‌ଟିପ୍ଲେକ୍ସକୁ ମଧ୍ୟ ବନ୍ଦ ରଖାଯାଇପାରେ। କୁହାଯାଉଛି ଲକ୍‌ଡାଉନ୍‌ ୫.୦ରେ ବିବାହ ଓ ଅନ୍ତିମ ସଂସ୍କାରରେ ଆଉ କିଛି ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିପାରେ।

Leave a Reply

Your email address will not be published. Required fields are marked *