ଅନଲାଇନ୍ ବୁକିଂ କିନ୍ତୁ ଅଫଲାଇନ୍ରେ ବ୍ଲାକ୍
ଭୁବନେଶ୍ୱର:- ନାଁ ଅନ୍ଲାଇନ୍, କିନ୍ତୁ ଅଫ୍ ଲାଇନ୍ରେ ହେଉଛି ମଦ କାରବାର । ଲୁଚାଛପାରେ ଡରିମରି ଚାଲିଛି ବେପାର । କିଛି ଘଣ୍ଟା ଭିତରେ ହୋଇଯାଉଛି ଆଉଟ ଅଫ୍ ଷ୍ଟକ୍ । ଯାହାକୁ ନେଇ ଗ୍ରାହକଙ୍କ ମୁଡ୍ ଖରାପ । ମଦ ଟିକକ ପାଇଁ ଏ ଦୋକାନରୁ ସେ ଦୋକାନ ଧାଉଁଛନ୍ତି । ସେପଟେ ଆଜିଠୁ ଟୁଇନ ସିଟିରେ ସ୍ବିଗୀ ଓ ଜମାଟୋରେ ମଦ ଡେଲିଭରୀ ଆରମ୍ଭ ହୋଇଛି ।
ଗଡ଼ବଡ଼ ହେଉଛି ଅନଲାଇନରେ ମଦର ହୋମ୍ ଡେଲିଭରୀ । ଅନଲାଇନରେ ବୁକ୍ କଲେ ଘରେ ମଦ ପହଞ୍ଚୁନଥିବା ଅଭିଯୋଗ ହୋଇଛି । ଏକଥା ଆମେ କହୁନୁ, କହୁଛନ୍ତି ଅନଲାଇନରେ ମଦ ବୁକ୍ କରିଥିବା ଲୋକେ। ଗ୍ରାହକଙ୍କ ଅଭିଯୋଗ, ବୁକିଂର ଦିନକ ପରେ ବି ମଦ ପହଞ୍ଚିଲାନାହିଁ । ଆଉ କିଛିଙ୍କ ଅଭିଯୋଗ ହେଲା ମଦ ଦୋକାନୀ ଦେଇଥିବା ନମ୍ବରକୁ କଲ୍ କଲେ କିମ୍ବା ମେସେଜ୍ କଲେ ଉତ୍ତର ମିଳୁନି । ସେପଟେ କିନ୍ତୁ କାଉଣ୍ଟରରେ ଗହଳି କମୁନି । କାଉଣ୍ଟରରେ କାହାକୁ ମଦ ଡେଲିଭରି ହେବନି ବୋଲି ନିଷ୍ପତ୍ତି ହୋଇଥିଲେ ବି କିଛି ଦୂରରେ ଦୋକାନୀ ମଦ ଯୋଗାଇ ଦେଉଛନ୍ତି ।
କଟକ ସହରର ବିଭିନ୍ନ ମଦ ଦୋକାନ ଆଗରେ ଗ୍ରାହକଙ୍କ ଭିଡ । ଭିଡ ନିୟନ୍ତ୍ରଣ ଏବଂ ଆଇନଶୃଂଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କେତେକ ସ୍ଥାନରେ ତ ଗ୍ରାହକଙ୍କୁ ଘଉଡାଇବାଲାଗି ପୋଲିସକୁ କସରତ କରିବାକୁ ପଡିଥିଲା । ଟଙ୍କା ଦେଇ ଲୋକେ କାଉଣ୍ଟରରୁ ମଦ କିଣି ନେଉଛନ୍ତି । ଦୋକାନୀ ହ୍ବାଟ୍ସ ଆପ୍ ନମ୍ବର ଜାରି କରିଛନ୍ତି, ହେଲେ ଯୋଗାଯୋଗ କଲେ କାଉଣ୍ଟର ନିକଟକୁ ଆସି ନେଇଯିବାକୁ କହୁଛନ୍ତି । କାଉଣ୍ଟରରୁ ନେଲେ ବି ଗ୍ରାହକଙ୍କୁ ଡେଲିଭରୀ ଚାର୍ଜ ଦେବାକୁ ପଡୁଥିବା ଅଭିଯୋଗ ହୋଇଛି । କେବଳ କଟକ କି ଆନନ୍ଦପୁର ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ଖୋର୍ଦ୍ଧା ଅବକାରୀ ସୁପରିଟେଣ୍ଡଣ୍ଟ କିନ୍ତୁ କାଉଣ୍ଟରରେ ମଦ ବିକ୍ରି କଥାକୁ ଅସ୍ବୀକାର କରିଛନ୍ତି ।










