ଚେନ୍ନାଇରୁ ସାଇକେଲରେ ଜଗତସିଂହପୁର ଆସିଲେ ଦମ୍ପତି, ପହଞ୍ଚିବାକୁ ଲାଗିଲା ୧୭ ଦିନ

ଜଗତସିଂହପୁର:-ଚେନ୍ନାଇରୁ ସାଇକେଲ୍‌ ଯୋଗେ ଦୀର୍ଘ ୧୭ ଦିନ ଯାତ୍ରା କରିବା ପରେ ଜଗତସିଂହପୁରରେ ଆସି ପହଞ୍ଚିଛନ୍ତି ଏକ ଦମ୍ପତି-ଉଦୟ କିରଣ ଓ ମମତା ଦାସ । ଏକ ହଜାର କିଲୋମିଟରରୁ ଅଧିକ ଲମ୍ବା ରାସ୍ତା ପାର୍‌ କରିବା ସମୟରେ ପତି ପତ୍ନୀ ଦୁହେଁ ରାସ୍ତାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୋମବାର ସନ୍ଧ୍ୟାରେ ଜଗତସିଂହପୁରରେ ପହଞ୍ଚିବା ପରେ ଉଭୟଙ୍କୁ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଦୁହିଁଙ୍କ ସାହସ ଓ ମନୋବଳକୁ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି ।

ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ ଯୋଗୁଁ ସେମାନେ ଚେନ୍ନାଇରେ ଫସି ଯାଇଥିଲେ । ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ମାର୍‌ପିଟ୍‌ କରଯାଉଥିବା ଖବର ଶୁଣି ସେମାନଙ୍କ ମନରେ ଭୟ ପଶି ଯାଇଥିଲା । ଏଣେ ପୁଣି କମ୍ପାନୀ ବନ୍ଦକୁ ଦରମା ନଥିଲା । ଖାଇବା, ଚଳିବା କଷ୍ଟକର ହୋଇ ପଡ଼ିବା ଭିତରେ ପକେଟରୁ ସଞ୍ଚିତ ଅର୍ଥ ସରିବାକୁ ଲାଗିଥିଲା । ତେଣୁ ଭଗବାନଙ୍କୁ ଡାକି ଗୋଟିଏ ସାଇକେଲ୍‌ ଧରି ଘରମୁହାଁ ହୋଇଥିଲେ ଏହି ପ୍ରବାସୀ ଦମ୍ପତି । ଉଭୟଙ୍କ ଘର ବାଲିକୁଦା ବ୍ଲକର ଆମ୍ବଶାଳ । ଚେନ୍ନାଇରେ ରହି ସିଆର୍‌ପି କମ୍ପାନୀରେ ସେ କାମ କରୁଥିଲେ । ମାତ୍ର କରୋନା ସଂକ୍ରମଣ ସାଙ୍ଗକୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିବାରୁ ସେମାନଙ୍କ ଜୀବନ ଜୀବିକା ଉଚ୍ଛନ୍ନ ହୋଇପଡ଼ିଥିଲା । ମାନସିକ ଭାବେ ଦୁହେଁ ଭାଙ୍ଗି ପଡ଼ିଥିବା ବେଳେ ଓଡ଼ିଶା ଫେରିବା କଥା ଚିନ୍ତା କରିଥିଲେ । ତେବେ ଗାଡ଼ି ମୋଟର ଚାଲୁ ନଥିବାରୁ ଯିବେ କେମିତି ଭାବିବା ଭିତରେ ଦୁଇ ମାସ ବିତି ଯାଇଥିଲା ।

ଶେଷରେ ସାଇକେଲ୍‌ ଉପରେ ଭରସା କରି ହଜାରେରୁ ଅଧିକ କିମି ଯାତ୍ରା କରିବାକୁ ନିଷ୍ପତ୍ତି ନେଇ ୧୭ ଦିନ ତଳୁ ଚେନ୍ନାଇ ଛାଡ଼ିଥିଲେ । ଗୋଟିଏ ସାଇକେଲ୍‌ରେ ଦୁହେଁ ଆଜି ରାତି ସାଢ଼େ ଆଠଟା ବେଳେ ଜଗତସିଂହପୁର ଟାଉନ୍‌ରେ ପହଞ୍ଚିଥିଲେ । ସେମାନଙ୍କୁ ରାସ୍ତାରେ କିଛି କିଛି ସ୍ଥାନରେ ଲୋକେ ଖାଇବାକୁ ଦେଇଥିଲେ ।

Leave a Reply

Your email address will not be published. Required fields are marked *