ସ୍ୱତନ୍ତ୍ର ବିମାନରେ ଓଡ଼ିଶା ବାହୁଡ଼ିଲେ ଦୁବାଇରେ ଥିବା ପ୍ରବାସୀ
ଭୁବନେଶ୍ୱର: ଦୁବାଇରୁ ଆସିଲେ ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ ୧୫୦ ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୧୨ଟି ଜିଲ୍ଲାର ୧୫୦ ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି।
ସ୍କ୍ରିନିଂ ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯିବାର ବ୍ୟବସ୍ଥା କରାଯାଉଛି। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି।
ତେବେ ବିମାନ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି, ତାର ଅନୁଧ୍ୟାନ କରିଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସବୁ ପ୍ରବାସୀଙ୍କର ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ମଧ୍ୟ ସୂଚନା ଦେଇଥିଲେ।
ଏକାଥରେ ସବୁ ଯାତ୍ରୀ ଓହ୍ଲାଇବେ ନାହିଁ। ଥରକେ ୨୦ ଜଣିଆ ଗ୍ରୁପ୍ରେ ଯାତ୍ରୀଙ୍କୁ ଓହ୍ଲାଯିବ। ଏବଂ ଟର୍ମିନାଲ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ କରାଯିବ ଓ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। କାହା ଦେହରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ। ଆଉ ଲକ୍ଷଣ ନଥିବା ଅନ୍ୟ ଯାତ୍ରୀମାନଙ୍କୁ ମୁଖ୍ୟତଃ ନିଜ ଗାଡ଼ିରେ ଯିବାକୁ କୁହାଯାଇଛି। ତେବେ ଯାହାର ନିଜ ଗାଡ଼ି ନଥିବ ସେମାନଙ୍କ ପାଇଁ କିଛି ସୀମିତ କ୍ୟାବ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଦୀପ କହିଥିଲେ।