ଟ୍ରାଏଲ୍ ଦେବାକୁ ମନା କଲେ ଜ୍ୟୋତି, ମ୍ୟାଟ୍ରିକ୍ ପରୀକ୍ଷା ଦେବା ତାଙ୍କର ପ୍ରଥମ ଲକ୍ଷ୍ୟ
ନୂଆଦିଲ୍ଲୀ,:-ଲକ୍ଡାଉନ୍ରେ ଅସୁସ୍ଥ ବାପାଙ୍କୁ ସାଇକେଲରେ ବସାଇ ୧୨୦୦ କି.ମି ଯାତ୍ରା ପୂରଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ବିହାରର ବିସ୍ମୟ ବାଳିକା ଜ୍ୟୋତି କୁମାରୀ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ସେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ । ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୂଅ ଛୁଟିଥିଲା । ଭାରତୀୟ ସାଇକେଲିଂ ଫେଡେରେସନ୍ (ସିଏଫ୍ଆଇ) ପକ୍ଷରୁ ତାଙ୍କୁ ଟ୍ରାଏଲ୍ ପାଇଁ ମଧ୍ୟ ଡାକରା ମିଳିଥିଲା । କିନ୍ତୁ ଜ୍ୟୋତି ଟ୍ରାଏଲ୍ ଦେବାକୁ ମନା କରି ଦେଇଛନ୍ତି। ପାଠପଢ଼ାକୁ ଗୁରୁତ୍ୱ ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷା ଦେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା ଜଣାଇ ଦେଇଛନ୍ତି । ଲକ୍ଡାଉନ୍ ସମୟରେ ସେ ଗୁରୁଗ୍ରାମ୍ରୁ ବିହାର ପାଖାପାଖି ୧୨୦୦ କି.ମି ସାଇକେଲ ଯାତ୍ରା କରିଥିଲେ ।
ଜ୍ୟୋତି କହିଛନ୍ତି, ମୁଁ ପଢ଼ା ଶେଷ କରିବାକୁ ଚାହୁଁଛି । ୧୨୦୦ କି.ମି ଯାତ୍ରା ପରେ ଦୁର୍ବଳ ହୋଇ ପଡ଼ିଛି । ତେଣୁ ଏବେ ପାଠ ପଢ଼ାକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛି ।’ ମେ’ ୧୬ ତାରିଖ ବିହାରରେ ପହଞ୍ଚିବା ପରେ ଜ୍ୟୋତି କହିଥିଲେ, ପରିବାରର ଅସୁବିଧା ପାଇଁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା । ଏହାପରେ ମୁଁ ଘରୋଇ କାର୍ଯ୍ୟରେ ଯୋଗ ଦେଇଥିଲି । କିନ୍ତୁ ଏବେ ମୁଁ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଚାହୁଁଛି ।’ ଜ୍ୟୋତିଙ୍କ ସାଇକେଲ୍ ଯାତ୍ରା ସମ୍ପର୍କରେ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସିଏଫ୍ଆଇ ଅଧ୍ୟକ୍ଷ ଓଁକାର ସିଂହ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହାପରେ ସିଏଫ୍ଆଇ ପକ୍ଷରୁ ତାଙ୍କୁ ନୂଆଦିଲ୍ଲୀରେ ଟ୍ରାଏଲ୍ ଦେବା ପାଇଁ ଡାକରା ଦିଆଯାଇଥିଲା ।